ଡାକ୍ତରଙ୍କୁ ୧୦ଲକ୍ଷ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ୫ଲକ୍ଷ ମିଳିବ ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୧୦ : ୫ଟି କାର୍ଯ୍ୟକ୍ରମରେ ଡାକ୍ତର ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

୫ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଅନେକ ଡାକ୍ତର, ପାରାମେଡିକାଲ ଷ୍ଟାଫ୍‌ ଓ ଅନ୍ୟ କର୍ମଚାରୀମାନେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି ଏବଂ ଅତ୍ୟନ୍ତ ସମ୍ଭେଦନଶୀଳ ଭାବେ ରୋଗୀଙ୍କ ଯତ୍ନ ନେଉଛନ୍ତି। ତେଣୁ ଏହି ନିଷ୍ଠାପର ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଡାକ୍ତରଙ୍କୁ ମୁଣ୍ଡପିଛା ୧୦ଲକ୍ଷ ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯିବା ବେଳେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅନ୍ୟ କର୍ମଚାରୀଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ତେବେ ଏହି ପୁରସ୍କାର ଶ୍ରେଷ୍ଠ ୧୦ଜଣ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମିଳିବ । ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନର ଚୂଡ଼ାନ୍ତ ନିଷ୍ପତ୍ତି କମିଟି ନେବ। ଏଥିସହିତ ଭଲ କାମ କରୁଥିବା ସରକାର ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ବି ପୁରସ୍କାର କରାଯିବ।

କେବଳ ଏତିକି ନୁହେଁ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟାଜିତ ଜଣେ ସ୍ଥାୟୀ କର୍ମଚାରୀ ତାଙ୍କ ଚାକିରିକାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତ୍ତି କରି ଏହି ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ପୁରସ୍କାର ପାଇଁ ମନୋନୀତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତ୍ତୀ ଉଚ୍ଚପଦବିକୁ ପଦୋନ୍ନତି ଦିଆଯିବ। ଏଥିପାଇଁ ସେ ସର୍ବନିମ୍ନ ୨୫ବର୍ଷ ସ୍ଥାୟୀ ଚାକିରି କରିଥିବା ଆବଶ୍ୟକ।