ନୂଆଦିଲ୍ଲୀ,୧୨/୯: ଅକ୍ଟୋବର ୨ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି। ଚୟନକର୍ତ୍ତା ବଡ଼ ନିଷ୍ପତ୍ତି ନେଇ କେଏଲ ରାହୁଲଙ୍କୁ ଦଳରୁ ବାଦ୍ ଦେଇଛନ୍ତି। ତାଙ୍କ ସ୍ଥାନରେ ଉଦୀୟମାନ କ୍ରିକେଟର ଶୁଭମାନ ଗିଲଙ୍କୁ ଦଳରେ ସାମିଲ କରାଯାଇଛି। ଗିଲଙ୍କୁ ପ୍ରଥମ ଥର ଟେଷ୍ଟ ଦଳରେ ସୁଯୋଗ ଦିଆଯାଇଛି। ଏହାର ଅର୍ଥ ଦିନିକିଆ ଓ ଟି-୨୦ ଦଳର ଓପନର ତଥା ଉପଅଧିନାୟକ ରୋହିତ ଶର୍ମାଙ୍କୁ ଟେଷ୍ଟ ଖେଳିବା ନେଇ ଅପେକ୍ଷାର ଅନ୍ତ ଘଟିଛି। ପ୍ରଶଂସକ ଏବେ ତାଙ୍କୁ ଟେଷ୍ଟରେ ଓପନିଂ କରିବା ଦେଖିବାକୁ ପାଇ ପାରିବେ। ଅନ୍ୟପକ୍ଷେ ରାହୁଲଙ୍କୁ ଖରାପ ଫର୍ମର ପରିଣାମ ଭୋଗିବାକୁ ପଡ଼ିଛି।
ଏହା ପୂର୍ବରୁ ନିକଟରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପାଇଁ ରୋହିତଙ୍କୁ ଦଳରେ ମଧ୍ୟକ୍ରମ ବ୍ୟାଟସମ୍ୟାନ ରୂପେ ସାମିଲ କରାଯାଇଥିଲା। ମାତ୍ର ମଧ୍ୟ କ୍ରମରେ ଆଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ରୋହିତଙ୍କୁ ଗୋଟିଏ ବି ଟେଷ୍ଟରେ ଖେଳିବାର ସୁଯୋଗ ମିଳିନଥିଲା। ରୋହିତ ନିଜର ଅନ୍ତିମ ଟେଷ୍ଟ ମ୍ୟାଚ୍ ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣରେ ଖେଳିଥିଲେ।