ନୂଆଦିଲ୍ଲୀ,୩/୬: ଚଳିତ ବର୍ଷ ଲୋକସଭା ନିର୍ବାଚନ ସାରା ଦେଶରେ ଅନୁଷ୍ଠିତ ହୋଇସାରିଛି । ଦିଲ୍ଲୀରେ ଆସନ୍ତା ବର୍ଷକୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲ ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟୀ ସଯୋଜକ ଅରବିନ୍ଦ କେଜ୍ରିୱାଲ ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ ଆଜି ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ସମସ୍ତ ମହିଳାଙ୍କୁ ମେଟ୍ରୋ ଓ ସରକାରୀ ବସଗୁଡ଼ିକରେ ଦେୟମୁକ୍ତ ଯାତ୍ରାର ସୁବିଧା ଉପହାର ସ୍ୱରୁପ ପ୍ରଦାନ କରିପାରନ୍ତି । ଯଦି ଆଜି କେଜ୍ରିୱାଲ ଏହି ଘୋଷଣା କରିବେ ତେବେ ମହିଳାଙ୍କୁ ଏଣିକି ଯାତ୍ରା ସମୟରେ ଟିକେଟ କରିବାକୁ ପଡ଼ିବ ନାହିଁ । ବସ ଓ ଟ୍ରେନରେ ଦିଲ୍ଲୀର ୩୩ପ୍ରତିଶତ ମହିଳା ଯାତାୟତ କରନ୍ତି ।
ମହିଳାଙ୍କୁ ମାଗଣା ଯାତାୟତ ବ୍ୟବସ୍ଥା ପାଇଁ ଦିଲ୍ଲୀ ଆମ ଆଦମୀ ସରକାର ମେଟ୍ରୋ ରେଳ କରର୍ପୋରେସନ ଠାରୁ ଅନୁମତି ଚାହୁଁଥିବା ସତ୍ୱେ ଏଯାଏଁ କୈାଣସି ସ୍ୱଷ୍ଟିକରଣ କରାଯାଇନାହିଁ । ମହିଳାଙ୍କୁ ଏପରି ଦେୟମୁକ୍ତ ଯାତ୍ରା ସୁବିଧା ଯୋଗାଇବା ଦ୍ୱାରା ପ୍ରତିବର୍ଷ ଦିଲ୍ଲୀ ସରକାରଙ୍କ ଉପରେ ୧୨୦୦କୋଟି ଟଙ୍କାର ବୋଝ ରହିବ । ସରକାରୀ ବସ ଗୁଡ଼ିକରେ ମଧ୍ୟ ମହିଳାଙ୍କ ପାଇଁ ମାଗଣା ଯାତାୟତ ବ୍ୟବସ୍ଥା ରହିବା ନେଇ ନିଷ୍ପତି ହୋଇଛି । ମହିଳାଙ୍କ ପାଇଁ ଏହି ଘୋଷଣାର ସମସ୍ତ ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବା ନେଇ ପରିବହନ ମନ୍ତ୍ରୀ ଗେହଲତ ସ୍ୱଷ୍ଟ କରିଛନ୍ତି ।