ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ଅତିକ୍ରମ, ମୃତ୍ୟୁ ସଂଖ୍ୟା ୮୭୨

ନୂଆଦିଲ୍ଲୀ,୨୭/୪: କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲକଡାଉନ ଜାରି ରହିଛି । ଇତି ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ୮୯୨ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ହଜାର ୮୩୫ ହୋଇଛି । ଏହି ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୮୭୨ ଜଣଙ୍କ ମୃତ୍ୟୁ ହୋଇଛି । ଖୁସିର କଥା ଯେ, ୬ ହଜାର ୮୪ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି ।

ଦେଶରେ ମହାରାଷ୍ଟ୍ରରେ କରୋନା ସଂକ୍ରମିତ ରୋଗୀ ସଂଖ୍ୟା ସର୍ବାଧିକ । ଏହି ରାଜ୍ୟରେ ପଜିଟିଭ ସଂଖ୍ୟା ୮ ହଜାରରୁ ଅଧିକ ହୋଇଛି । ବିଗତ ୨୪ ଘଣ୍ଟାରେ ୪୪୦ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମୋଟ ୩୪୨ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ମୁମ୍ବାଇରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୫ ହଜାର ୪୦୭ ।ବିଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ସଂଖ୍ୟା୨୦୪ରେ ପହଞ୍ଚିଛି ।
ଦିଲ୍ଲୀରେ ୨୪ ଘଣ୍ଟାରେ ୨୯୩ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ୫୪ ଜଣଙ୍କ ମୃତ୍ୟୁ ହୋଇଛି । ଗୁଜୁରାଟରେ କରୋନା ପଜିଟିଭ ସଂଖ୍ୟା ୩ ହଜାର ଅତିକ୍ରମ କରିଛି । କରୋନା ଭାଇରସ ଦେଶରେ ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପୁଣି ଭିଡିଓ ବାର୍ତ୍ତାରେ ଆଲୋଚନା କରିବେ ।