ନୂଆଦିଲ୍ଲୀ,୨୮/୬: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଲଗାତାର ଭାବେ ନୂଆ ନୂଆ ଇତିହାସ ରଚି ଚାଲିଛନ୍ତି । ବିଶ୍ୱକପରେ ଗୁରୁବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ବିରାଟ ଦ୍ରୁତତମ ୨୦,୦୦୦ ଇଣ୍ଟରନ୍ୟସନାଲ୍ ରନ ସଂଗ୍ରହ କରିବାର ରେକର୍ଡ ହାସଲ କରିବା ସହିତ ସଚିନଙ୍କୁ ପଚରେ ପକାଇଥିଲେ । ସଚିନ ଓ ଲାରା ୪୫୩ଟି ଇନିଂସ ଖେଳି ଏହି ଉପଲବ୍ଧି ହାସଲ କରିଥିବା ବେଳେ ବିରାଟ ମାତ୍ର ୪୧୭ଟି ଇନିଂସରେ ହିଁ ହାସଲ କରିନେଇଥିଲେ । ମାନେ ସଚିନଙ୍କ ଠାରୁ ୩୬ଟି କମ ଇନିଂସ ଖେଳି ବିରାଟ ଏହି ଉପଲବ୍ଧି ହାସଲ କରିଛନ୍ତି ।
ଦ୍ରୁତତମ ୧୧୦୦୦ ଦିନିକିଆ ରନ – ଚଳିତ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଦିନିକିଆରେ ଦ୍ରୁତତମ ୧୧୦୦୦ ରନ ପୂରଣ କରିଥିଲେ ବିରାଟ୍ । ଏହି ମାଇଲଷ୍ଟୋନ ହାସଲ କରିବା ପାଇଁ ବିରାଟ କୋହଲି ୨୨୨ଟି ଇନିଂସ ନେଇଥିଲେ । ଅନ୍ୟପଟେ ସଚିନ ଏହି ମାଇଲଷ୍ଟୋନ ହାସଲ କରିବା ପାଇଁ ୨୭୬ଟି ଇନିଂସ ନେଇଥିଲେ ।
ଦ୍ରୁତତମ ୮୦୦୦, ୯୦୦୦ ଓ ୧୦୦୦୦ ଦିନିକିଆ ରନ – ଦିନିକିଆରେ ଦ୍ରୁତତମ ୧୦,୦୦୦ ରନ, ୯୦୦୦ ରନ ଓ ୮୦୦୦ ରନ ପୂରଣ କରିବାର ରେକର୍ଡ ମଧ୍ୟ ବିରାଟଙ୍କ ନାମରେ ରହିଛି । ଏହି ରେକର୍ଡ ହାସଲ କରିବାରେ ସେ ସଚିନଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ବିରାଟ୍ କୋହଲି ୨୦୫ଟି ଇନିଂସ ଖେଳି ୧୦ ହଜାର ରନ ପୂରଣ କରିଥିବା ବେଳେ ସଚିନ ୨୫୯ ଇନିଂସ ନେଇଥିଲେ । ସେଭଳି ୯୦୦୦ ରନ ପୂରଣ କରିବା ପାଇଁ ୧୯୪ଟି ଇନିଂସ ନେଇଥିବା ବେଳେ ୮୦୦୦ ରନ ପାଇଁ ନେଇଥିଲେ ୧୭୫ଟି ଇନିଂସ । ଅନ୍ୟପଟେ ସଚିନ ୯୦୦୦ ରନ ପୂରଣ ପାଇଁ ୨୩୫ଟି ଇନିଂସ ନେଇଥିବା ବେଳେ ୮୦୦୦ ରନ ପୂରଣ ପାଇଁ ୨୧୦ଟି ଇନିଂସ ନେଇଥିଲେ ।
ଲଗାତାର ୪ଟି ଟେଷ୍ଟ ସିରିଜରେ କୋହଲିଙ୍କ ଦ୍ୱିଶତକ – ବିରାଟ କୋହଲି ଦୁନିଆର ଏକମାତ୍ର କ୍ରିକେଟର ଯିଏ ଲଗାତାର ୪ଟି ଟେଷ୍ଟ ସିରିଜରେ ଦ୍ୱିଶତକ ହାସଲ କରିଛନ୍ତି । ୨୦୧୬-୧୭ ସିଜିନରେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ହୋଇଥିବା ସିରିଜରେ ବିରାଟ ଏହି ରେକର୍ଡ ହାସଲ କରିଥିଲେ । କୋହଲି ବର୍ତ୍ତମାନ ସୁଦ୍ଧା ୬ଟି ଦ୍ୱିଶତକ ହାସଲ କରିଛନ୍ତି, ଯାହା ସଚିନଙ୍କ ସହ ସମାନ । କିନ୍ତୁ ସଚିନ କେବେ ଲଗାତାର ସିରିଜରେ ଦ୍ୱିଶତକ ହାସଲ କରିପାରିନାହାନ୍ତି ।
କ୍ୟାଲେଣ୍ଡର ବର୍ଷରେ ଦ୍ରୁତତମ ୧୦୦୦ ରନ – ବିରାଟ କୋହଲି ୨୦୧୮ରେ କୌଣସି କ୍ୟାଲେଣ୍ଡର ବର୍ଷରେ ଦ୍ରୁତତମ ୧୦୦୦ ରନ୍ କରିବାର ବିଶ୍ୱ ରେକର୍ଡ ହାସଲ କରିଥିଲେ । ସେ ମାତ୍ର ୧୧ଟି ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ । ଏହା ପୂର୍ବରୁ ଏହି ରେକର୍ଡ ୧୫ଟି ଇନିଂସରେ ଥିଲା, ଯାହା ତାଙ୍କ ସହିତ ଦକ୍ଷିଣ ଆଫ୍ରିକାର ହାସିମ୍ ଆମଲାଙ୍କ ନାମରେ ଥିଲା । ସଚିନ ୨୦୦୩ରେ ୨୧ ଟି ଇନିଂସ ଖେଳି ୧୦୦୦ ରନ ପୂରଣ କରିଥିଲେ ।
ବ୍ୟାଟିଂ ହାରରେ ବି ସଚିନଙ୍କ ଆଗରେ ବିରାଟ – ବ୍ୟାଟି ହାରରେ ମଧ୍ୟ ସଚିନଙ୍କା ଆଗରେ ଅଛନ୍ତି ବିରାଟ କୋହଲି । ତିନୋଟି ଯାକ ଫର୍ମାଟରେ ବିରାଟଙ୍କ ବ୍ୟାଟିଂ ହାର ୫୦ରୁ ଅଧିକ ରହିଛି । ଯଦିଓ ଟେଷ୍ଟରେ ବିରାଟଙ୍କ ଠାରୁ ଅଳ୍ପ ଆଗରେ ସଚିନ ଅଛନ୍ତି କିନ୍ତୁ ଅନ୍ୟ ଦୁଇ ଫର୍ମାଟରେ ବିରାଟ ବହୁତ ଆଗରେ ରହିଛନ୍ତି । କୋହଲିଙ୍କର ଟେଷ୍ଟରେ ୫୩.୭୬, ଦିନିକିଆରେ ୫୯.୬୭ ଏବଂ ଟି-୨୦ରେ ୫୦.୨୯ ବ୍ୟାଟିଂ ଆଭେରେଜ୍ ରହିଛି । ଅନ୍ୟପଟେ ସଚିନଙ୍କ ବ୍ୟାଟିଂ ଆଭେରେଜ୍ ଟେଷ୍ଟରେ ୫୩.୭୯, ଦିନିକିଆରେ ୪୪.୮୩ ଓ ଟି-୨୦ରେ ୧୦ ରହିଛି । ସଚିନ ଗୋଟିଏ ମାତ୍ର ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି ।