ନବୀନଙ୍କୁ ବିକାଶର ପ୍ରଶ୍ନ ପଚାରିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର, ୨୬/୧୨: ଆଗାମୀ ସାଧାରଣ ନିର୍ବାଚନକୁ ଆହୁରି ପାଖାପାଖି ୫ ମାସ ରହିଥିବାବେଳେ ଓଡ଼ିଶାର ରାଜନୀତି ପାଣିପାଗ କିନ୍ତୁ ସରଗରମ ହୋଇଯାଇଛି । ୧୯ ବର୍ଷ ଧରି ସିଂହାସନ ମାଡ଼ିବସିଥିବା ବିଜେଡ଼ି ସରକାରକୁ ହଟାଇବାକୁ ଚାଲିଛି କସରତ । ସମସ୍ତେ ଖୋଜୁଛନ୍ତି ନବୀନ ସରକାରଙ୍କ ରାଜତ୍ୱର ବିଫଳତାର ଖିଅ । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଜେଡ଼ି ସଭାପତି ଆହୁରି ୯ଟି ପ୍ରଶ୍ନ ପଚାରି ଫେରାଇ ଦେଇଛନ୍ତି । ଯାହାର ପ୍ରତି ଉତ୍ତର ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇ ସାରିଛନ୍ତି । ରାଜ୍ୟରେ ଚାଲିଥିବା ଏହି ପ୍ରଶ୍ନୋତ୍ତର ରାଜନୀତିରେ ଯୋଡ଼ି ହୋଇଯାଇଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡ଼ିଶାର ବିକାଶ ପ୍ରସଙ୍ଗକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ।

ବିଜେଡ଼ିର ପ୍ରତିଷ୍ଠା ଦିବସକୁ ପ୍ରତି ପଂଚାୟତରେ କଳା ଦିବସ ପାଳନ କରୁଛି ରାଜ୍ୟ କଂଗ୍ରେସ । ଏହି ଅବସରରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ବିକାଶର ଚିତ୍କାର କରୁଛନ୍ତି । କିନ୍ତୁ ଏହା ହେଉଛି ପ୍ରକୃତରେ ବିଜେଡ଼ିର ବିକାଶ ହୋଇଛି । ୨୦୦୦ ମସିହାରେ ରାଜ୍ୟର ଋଣ ୧୮ ହଜାର କୋଟିଥିବାବେଳେ ତାହା ଏବେ ୯୩ ହଜାର କୋଟି ଟଙ୍କାରେ ପହଁଚିଛି । ଏତେ ବର୍ଷର ଶାସନରେ କୌଣସି ନିଯୁକ୍ତି ସୁଯୋଗ ନାହିଁ । ୮୫ ଲକ୍ଷ ଯୁବକ ନିଯୁକ୍ତି ପାଇ ନାହାଁନ୍ତି । ଚାଷ ଜମିକୁ ଜଳ ସେଚନ ସୁବିଧା ନ ଥିବାବେଳେ ଚାଷୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେହିପରି ଜନସଂଖ୍ୟାର ୬୫ ପ୍ରତିଶତ ଲୋକ ବିପିଏଲ୍‌ ତାଲିକାରେ ରହିଛନ୍ତି । ଏଯାଏ ଗୋଟିଏ ବି ଶିଳ୍ପ ପ୍ରତିଷ୍ଠା ହୋଇନାହିଁ । ଏହା କ’ଣ ବିକାଶ ବୋଲି ପ୍ରଶ୍ନ କରିଛନ୍ତି ।

ସେହିପରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହାସ୍ୟାସ୍ପଦ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ସଂସଦ ଆଲୋଚନାରେ ଭାଗ ନେଲେ ନାହିଁ କିମ୍ବା ନୀତି ଆୟୋଗ ସହିତ ଆଲୋଚନା କଲେ ନାହିଁ । କାହିଁକି ଏ ନେଇ ଲୋକଙ୍କୁ ଭୂତାଉଛ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।