ନୂଆଦିଲ୍ଲୀ, ୨୨/୦୬ : ଲକ୍ଷ୍ନୌର ଆଲିଗଞ୍ଜର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିବା ମାମଲା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଅନେକ ଛାତ୍ର କୋଚିଂ ସେଣ୍ଟର ଭିତରେ ଫସି ଯାଇଛନ୍ତି । ନିଆଁରୁ ରକ୍ଷା ପାଇବା ପାଇଁ ଛାତ୍ରମାନେ କୋଠା ଉପରୁ ଡେଇଁବା ଆରମ୍ଭ କରିଥିଲେ । ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡ ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସୂଚନା ମିଳିବା ମାତ୍ରେ ଅନେକ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ବର୍ତ୍ତମାନ ନିଆଁକୁ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରାଯାଉଛି । ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଯେ ୧୦ ରୁ ୧୨ ଜଣ ଛାତ୍ର ଭିତରେ ଫସି ରହିଛନ୍ତି । ନିଆଁ ବହୁତ ଭୟଙ୍କର ହୋଇଥିବାରୁ ଆମେ କୋଠା ଭିତରକୁ ଯାଇପାରି ନାହୁଁ । ଏହି ଅଗ୍ନିକାଣ୍ଡରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅବଗତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ଯୋଗୀ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି କରିବାକୁ ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରତ୍ୟେକ ସ୍ତରରେ ସତର୍କତା ବଜାୟ ରଖିବାକୁ ସେ ପ୍ରଶାସନକୁ ପରାମର୍ଶ ଦେବାସହ ଆହତମାନଙ୍କୁ ଶୀଘ୍ର ଚିକିତ୍ସା କରାଯାଉବୋଲି କହିଛନ୍ତି ।