ପୁରୀ,୧୭।୧୧: ଅଁଳାନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଲାଗିଛି। ଶୁକ୍ରବାର ରାତ୍ର ସାଢ଼େ ୧୨ଟାରୁ ଦ୍ୱାର ଫିଟାଯାଇ ମଙ୍ଗଳ ଆଳତୀ, ମର୍ଦ୍ଦନ, ଅବକାଶ, ଠାକୁରଙ୍କୁ ନଟବର ବେଶ ଓ ଶ୍ରୀରାଧାଙ୍କୁ ପାରମ୍ପରିକ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଥିଲା। ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ସକାଳଧୂପ, ବାଳଧୂପ ପରେ ଭୋର ୫ ଟାରୁ ରାଧା ପାଦଦର୍ଶନ ଆରମ୍ଭ ହୋଇଥିଲା। ପ୍ରଥମେ ସେବାୟତଙ୍କ ପରିବାର ଦର୍ଶନ କରିବା ପରେ ସିଂହଦ୍ବାରରେ ଲମ୍ବାଧାଡ଼ି ବାନ୍ଧି ପ୍ରତୀକ୍ଷା କରିଥିବା ଶ୍ରଦ୍ଧାଳୁ ସାହଣମେଲା ଦର୍ଶନ କରିଥିଲେ। ଏହା ରାତି ୧୨ଟା ପର୍ଯ୍ୟନ୍ତ ଚାଲୁରହିବ। ସୁରକ୍ଷା ଓ ଶୃଙ୍ଖଳାର ସହ ଯାତ୍ରା ପରିଚାଳନା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଚଳିତ ବର୍ଷ ପାଦସ୍ପର୍ଶ ବନ୍ଦ ରହିଥିବାରୁ ଭକ୍ତମାନେ କେବଳ ଦର୍ଶନ କରୁଛନ୍ତି। ବେଢ଼ା ପରିକ୍ରମା କରି ମା’ ମାନେ ହୁଳହୁଳି ଦେଇ ଅଁଳାନବମୀ ତିଥିରେ ଅଁଳାବୃକ୍ଷକୁ ବନ୍ଦାପନା କରିଛନ୍ତି। ପଞ୍ଚସଖା ପଡ଼ିଆରେ ପଲ୍ଲୀଶ୍ରୀ ମେଳା ସହିତ ୩ ଦିନବ୍ୟାପି ସାଂସ୍କୃତିକ ସମାରୋହ ଶ୍ରୀରାଧି ଉତ୍ସବ ଆୟୋଜନ କରାଯାଇଛି।