ଭୁବନେଶ୍ୱର, ୬/୧: ଗଣବଳାତ୍କାର ପରେ ମୃତ୍ୟୁବରଣ କରିଥିବା ପିପିଲିର ଦଳିତ ଝିଅ ବେବିନାର ବାପା, ମା ଓ ଭାଇଙ୍କୁ ସାକ୍ଷାତ ପରେ ଗାଁରୁ ଫେରିବା ବାଟରେ ଦୟାନଦୀ କୂଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଆଗଲା ଧମକ। କେତେ ଦିନ ବେହେରା ପରିବାରକୁ ସାହାଯ୍ୟ କରିବ ଦେଖିବୁ ବୋଲି ଧର୍ମେନ୍ଦ୍ରଙ୍କୁ ଧମକ ଦେଇଛନ୍ତି ଶାସକ ବିଜେଡିର ଗୁଣ୍ଡାମାନେ। ଏହି ଘଟଣାକୁ ସାମ୍ବାଦିକ ସମ୍ମିଳନୀରେ ବଖାଣିବା ସହିତଘଟଣାର ସିବିଆଇ ତଦନ୍ତ ଓ ପରିବାରକୁ ସୁରକ୍ଷା ପାଇଁ ଗଣମାଧ୍ୟମ ଆଗରେ ଭାବାବେଗପୂର୍ଣ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଗତକାଲି ପ୍ରଧାନମନ୍ତ୍ରୀ ବାରିପଦାର ସାଧାରଣ ସଭାରେ ବେବିନା ପ୍ରସଙ୍ଗ ଉଠାଇବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ବାର୍ତା ନେଇ ଏହି ପୀଡିତା ପରିବାରକୁ ସାକ୍ଷାତ କରିବାକୁ ଯାଇଥିଲେ। ମାର କୋହ, ବାପା ଓ ଭାଇଙ୍କ ଦୁଃଖ ଭରା କଥାକୁ ଶୁଣି ସେ ମର୍ମାହତ ବୋଲି କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ସମ୍ପୂର୍ଣ ପରିବାର ଓଡିଶାର ପୋଲିସ ବ୍ୟବସ୍ଥା ଉପରେ ଭରସା ହରାଇଛି । ସିବିଆଇ ତଦନ୍ତ ଦାବି ବେବିନାର ମା କରୁଛନ୍ତି ।
ବେବିନାର ଭାଇ ସେଦିନର ଦୁର୍ଘଟଣା ପରେ ରକ୍ତ ଜୁଡୁବୁଡୁ ପୋଷାକକୁ କ୍ରାଇମବ୍ରାଂଚକୁ ତଦନ୍ତ ପାଇଁ ଦେଇଥିଲେ ମଧ୍ୟ ତଦନ୍ତ ପାଇଁ ସେ ନେଇନଥିବାର ଅଭିଯୋଗ କରିଛନ୍ତି । ଏହି ପୋଷାକକୁ ତଦନ୍ତ କମିଶନଙ୍କ ପାଖରେ ଦେଇଥିବା ବେବିନାର ଭାଇ ପ୍ରକାଶ କରିଛନ୍ତି । ସରକାରୀ ଓକିଲ କ୍ରାଇମବ୍ରାଂଚର କଥାକୁ ନ ମାନିଲେ ତାଙ୍କ ପାଇଁ ସମସ୍ୟା ହେବ ବୋଲି କହିଥିବା କଥା ତାଙ୍କ ଆଗରେ ପ୍ରକାଶ କରିଥିବାର ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ସେ ଆକୁଳ ନିବେଦନ କରୁଛନ୍ତି ବୋଲି କହି ରାଜ୍ୟରେ ଏହି ଦଳିତ ଗରିବ ପରିବାରକୁ ସୁରକ୍ଷା ଯୋଗାଇ ଦେବାସହ ନିଜ ଆଡୁ ଘଟଣାର ତଦନ୍ତଭାର ସିବିଆଇ ଦେଇଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଚଂଚକତା କରିବାରେ ପ୍ରବୀଣ ନେତୃତ୍ୱ ବୋଲି ସେ କହିଛନ୍ତି ।