ଭୁବନେଶ୍ୱର, ୨୭/୦୮ : ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା । ୨୯ରୁ ଓଡ଼ିଶାରେ ବଢ଼ିବ ବର୍ଷା । ଓଡ଼ିଶାରେ ପୁଣି ବଢ଼ିବାକୁ ଯାଉଛି ବର୍ଷାର ପ୍ରଭାବ। ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ୨୯ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିପାରେ । ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ଅଧିକ ସକ୍ରିୟ ହୋଇ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଆଇଏମଡିର ପୂର୍ବାନୁମାନ ଅନୁସାରେ ଅଗଷ୍ଟ ୨୯ରୁ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବ । ବିଶେଷକରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଅଧିକ ହୋଇପାରେ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ମଧ୍ୟ ରହିଛି । ଅଗଷ୍ଟ ୨୯-୩୦ରୁ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ଅଞ୍ଚଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବାର ସମ୍ଭାବନା ରହିଛି । ଏହି ବର୍ଷା ପର୍ଯ୍ୟାୟ ସେପ୍ଟେମ୍ବର ପ୍ରଥମ ସପ୍ତାହର ଆରମ୍ଭ ପର୍ଯ୍ୟନ୍ତ ଜାରି ରହିପାରେ । ଆଜି ତୁଳନାତ୍ମକ ଭାବେ ପାଗ ଶାନ୍ତ ରହିବ । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ରହିଛି । ତେବେ ୨୯ ତାରିଖରୁ ପାଗରେ ବଡ଼ ପରିବର୍ତ୍ତନ ଆସିପାରେ । ବଙ୍ଗୋପସାଗରରେ ସମ୍ଭାବ୍ୟ ନୂଆ ଲଘୁଚାପ ପ୍ରଭାବରେ ମାସ ଶେଷରେ ଓଡ଼ିଶାରେ ପୁଣି ଏକ ପର୍ଯ୍ୟାୟର ବ୍ୟାପକ ଓ ପ୍ରବଳ ବର୍ଷା ଦେଖିବାକୁ ମିଳିପାରେ ।