ଭୁବନେଶ୍ୱର,୬/୨: ପୁଣି ରାଜ୍ୟ ସରକାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାକୁ ହଇରାଣ କରିବା ପାଇଁ ଚେଷ୍ଟା କରିଛନ୍ତି । ଜମି ମାଲିକଙ୍କ ଅନୁମତି ଥିବା ସତ୍ୱେ ବୈଜୟନ୍ତଙ୍କ ହେଲିକପ୍ଟରକୁ ଅବତରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ । ଏନେଇ ବୈଜୟନ୍ତ ଟ୍ୱିଟ କରି ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଆଜି ବୈଜୟନ୍ତ ପଣ୍ଡା ନିଜ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡାର ବତୀଘରେ ହେଲିକପ୍ଟର ଯୋଗେ ଅବତରଣ କରିଥାନ୍ତେ । କିନ୍ତୁ ପ୍ରଶାସନ ଏହା ଉପରେ ରୋକ ଲଗାଇଛି । ଏହାକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ପଣ୍ଡା । ସେ କହିଛନ୍ତି କି, ଜମିର ମାଲିକଙ୍କ ଅନୁମତି ଥିବା ସତ୍ୱେ ଅବତରଣ ନେଇ ରୋକ ଲଗାଯାଇଥିଲା । ପୋଲିସ କିନ୍ତୁ ଏହାକୁ ମିଛରେ ଖଣ୍ଡନ କରିଛି । ଏହା ବିଜେଡିର ଧମକ ଏବଂ ପ୍ରଶାସନ ଦ୍ୱାରା କରାଯାଇଛି । ତେବେ ତାଙ୍କୁ ବତୀଘରକୁ କେହି ଯିବାକୁ ରୋକି ପାରିବେନି ଏବଂ ସେ ସଡକରେ ଯିବେ ବୋଲି କହିଛନ୍ତି । ତେବେ ଏହି ଅବତରଣର ଅନୁମତି ନ ଦେବା କଣ ରାଜ୍ୟ ସରକାର ପଡୋଶୀ ରାଜ୍ୟରୁ ଶିଖିଲେ ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି । କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ ଆକ୍ରୋଶ ରଖି ବିଭିନ୍ନ ବିଜେପି ନେତାଙ୍କ ହେଲିକପ୍ଟର ଅବତରଣ ନେଇ ଅନୁମତି ଦେଉନାହାନ୍ତି ।
ଏହାସହ ବୈଜୟନ୍ତ ଟ୍ୱିଟରେ ହେଲିକପ୍ଟର ଅବତରଣ ନେଇ ଥିବା ଜମିର ଅନୁମତି ପତ୍ର ପୋଷ୍ଟ କରିଛନ୍ତି । ଯେଉଁ ଚିଠିରେ ହେଲିକପ୍ଟର ଅବତରଣ ହେଲେ ଜମିମାଲିକ ଐନୁଲ ଖାନଙ୍କ କୌଣସୀ ଅସୁବିଧା ନାହିଁ ବୋଲି କୁହାଯାଇଥିଲା । କିନ୍ତୁ କେନ୍ଦ୍ରପଡା ଜିଲ୍ଲା ଏସପିଙ୍କ ସ୍ୱାକ୍ଷର ଥିବା ଆଉ ଏକ ଚିଠିରେ ସେହି ଜମିର ମାଲିକଙ୍କ ନାମ ରହିଛି ଏବଂ ସେ ଅବତରଣ ପାଇଁ ଅନୁମତି ଦେଇନାହାନ୍ତି ବୋଲି ଉଲ୍ଲେଖ ରହିଛି ।