ଭୁବନେଶ୍ୱର,୧୩।୧୨: ରାଜ୍ୟରେ ପ୍ରସ୍ତାବିତ କେନ୍ଦ୍ର ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ଯୁବପିଢ଼ୀଙ୍କ ଲାଗି ଚାକିରୀ ଓ ରୋଜଗାର ସମ୍ଭାବନା ସୃଷ୍ଟି ହେବ। ଏଥିସହ ଓଡ଼ିଶା ଦେଶର ଗ୍ୟାସ୍ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ପେଣ୍ଠସ୍ଥଳୀ ଭାବେ ପରିଚିତ ହେବାର ସମ୍ଭାବନା ରହିଛି। ତେଣୁ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି।
ପତ୍ରରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ପାରାଦୀପ ପୂର୍ବ ଭାରତର ପେଟ୍ରୋଲିୟମ ଶିଳ୍ପର ପ୍ରବେଶ ପଥ ଭାବେ ବିକଶିତ ହେଉଛି। ୨୦୧୩-୧୪ ଆର୍ଥିକ ବର୍ଷରେ ବନ୍ଦରରେ ପେଟ୍ରୋଲିୟମ ପଦାର୍ଥ ପରିବହନ ମାତ୍ରା ୧୭.୭୦ ଏମ୍ଏମ୍ଟି ଥିବା ବେଳେ ୨୦୧୭-୧୮ରେ ଏହା ପାଖାପାଖୀ ଦ୍ୱିଗୁଣିତ ହୋଇ ୩୩.୭୮ ଏମ୍ଏମ୍ଟିରେ ପହଞ୍ଚିଛି। ଏହି ମାମଲାରେ ୫ଟି ବୃହତ୍ତ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ଜମି ଯୋଗାଇ ଦେବା ମାମଲାରେ ଦୀର୍ଘଦିନର ଆବେଦନ ପଡ଼ି ରହିଛି। ଏଥିସହ ରାଜ୍ୟ ସରକାର ବିଦେଶରେ ପେଟ୍ରୋକେମିକାଲ ପ୍ରକଳ୍ପ ଲାଗି ରୋଡ ଶୋ’ କରିଥିଲେ ମଧ୍ୟ ଇଣ୍ଡିଆନ ଅଏଲ ସହଯୋଗରେ ଆସୁଥିବା ବିଭିନ୍ନ ପୁଞ୍ଜି ନିବେଶକାରୀଙ୍କୁ ସହଯୋଗ କରୁନାହାନ୍ତି। ତେଣୁ ରାଜ୍ୟ ସରକାର ଉପଯୁକ୍ତ ସାହାର୍ଯ୍ୟ ଓ ସହଯୋଗ ଦେବା ସହ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବାପାଇଁ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଏହି ପତ୍ରରେ ଅନୁରୋଧ କରିଛନ୍ତି।