ନୂଆଦିଲ୍ଲୀ, ୧୯/୧୨ : ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ବୁଧବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । ଏହା ପରେ ଚିଦାମ୍ବରମ୍ ପଚାରାଉଚାରାରେ ସାମିଲ ହେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ କାର୍ଯ୍ୟାଳୟରେ ପହଁଚି ଥିବା ସୂଚନା ମିଳିଛି । ତେବେ ଏହି ମାମଲାର ଯାଞ୍ଚ ଅଧିକାରୀ ମନି ଲଣ୍ଡରିଂ ଆକଫ ଅଧୀନରେ ଚିଦାମ୍ବରମଙ୍କୁ ବୟାନ ରେକର୍ଡ କରିବାକୁ କହିଥିଲେ । ୨୦୦୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ଚାଲିଥିବା ଉପା ସରକାରଙ୍କ ସମୟରେ ପି ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।
ପିଟର୍ ମୁଖାର୍ଜୀ ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ୱାରା ପ୍ରସାରିତ ସଂସ୍ଥାନ ଆଇଏନ୍ଏକ୍ସ ମିଡିଆକୁ ଫରେନ୍ ଉନ୍ଭେଷ୍ଟମେଣ୍ଟ ପ୍ରମୋସନ୍ ବୋର୍ଡ କ୍ଲିଅରାନ୍ସ ଦେଇଥିବା ମାମଲାରେ ଚିଦାମ୍ବରମ୍ ଏବଂ ତାଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମ୍ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ଜାଲରେ ରହିଛନ୍ତି । ଏହା ବ୍ୟତୀତ କାର୍ତ୍ତିଙ୍କର ଭାରତ ଏବଂ ବିଦେଶରେ ରହିଥିବା ୫୪ କୋଟି ଟଙ୍କାର ସମ୍ପତିକୁ ମଧ୍ୟ ଜବତ କରାଯାଇଛି ।
