ନୂଆଦିଲ୍ଲୀ,୧୦/୩: ବାଜିଛି ନିର୍ବାଚନୀ ବିଗୁଲ। ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ତାରିଖ ଘୋଷଣା କରିବା ସହ ଆଚରଣବିଧି ଲାଗୁ କରିଛନ୍ତି। ଏପ୍ରିଲ ୧୧ରୁ ସାଧାରଣ ନିର୍ବାଚନ ଆରମ୍ଭ ହୋଇ ମେ’ ୧୯ରେ ଶେଷ ହେବ। ମେ’ ୨୩ରେ ଫଳାଫଳ ପ୍ରକାଶ ପାଇବ। ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ।
ଆସନ୍ତା ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ, ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ, ମେ’ ୬ରେ ପଞ୍ଚମ ପର୍ଯ୍ୟାୟ, ମେ’ ୧୨ରେ ଷଷ୍ଠ ପର୍ଯ୍ୟାୟ ଏବଂ ମେ’ ୧୯ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ। ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକ ସଭା ଆସନ, ୨ୟ ପର୍ଯ୍ୟାୟରେ ୫, ତୃତୀୟ ପର୍ଯ୍ୟାୟରେ ୬ ଓ ୪ର୍ଥ ପର୍ଯ୍ୟାୟରେ ୬ ଲୋକ ସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଆରୋରା ଘୋଷଣା କରିଛନ୍ତି। ଲୋକ ସଭା ଆସନ ଅନ୍ତର୍ଗତ ବିଧାନସଭା କ୍ଷେତ୍ରଗୁଡ଼ିକରେ ମଧ୍ୟ ଏକା ସଙ୍ଗରେ ନିର୍ବାଚନ ହେବ। ତଦନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ, ୨ୟ ପର୍ଯ୍ୟାୟରେ ୩୫, ୩ୟ ଏବଂ ୪ର୍ଥ ପର୍ଯ୍ୟାୟରେ ୪୨ଟି ଲେଖାଏଁ ଆସନରେ ଭୋଟ ଗ୍ରହଣ ହେବ।
ନିର୍ବାଚନୀ ତାରିଖ ସହ ଆଚରଣବିଧି ଲାଗୁ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଫଳରେ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ଏପରିକି ସୋସିଆଲ ମିଡିଆରେ ମଧ୍ୟ ଆଦର୍ଶ ଆଚରଣବିଧି ଲଗାଯାଇଥିବା କମିଶନର କହିଛନ୍ତି।
୨୦୧୯ ନିର୍ବାଚନରେ ଭାରତର ୯୦ କୋଟି ଭୋଟର ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ। ସାରା ଦେଶରେ ଭୋଟ ଗ୍ରହଣ ପାଇଁ ୧୦ଲକ୍ଷ ପୋଲିଂ ଷ୍ଟେଶନ କରାଯାଇଛି। ଓଡ଼ିଶାରେ ୩୭,୬୦୬ ବୁଥ୍ ରହିଛି। ଇଭିଏମ୍ରେ ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଫଟୋ ଲଗାଯିବ। ସେହିଭଳି ସବୁ ପୋଲିଂ ବୁଥରେ ଭିଭିପାଟ ମେଶିନ ଲାଗିବ। ଏପରିକି ନିର୍ବାଚନ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ବ୍ୟବସ୍ଥା ମଧ୍ୟ କରାଯିବ। ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ଆମର ଲକ୍ଷ୍ୟ ବୋଲି କମିଶନର କହିଛନ୍ତି।