ଇପିଏଫ୍ଓ ଆରମ୍ଭ କଲା ନୂଆ ସେବା : ଏଣିକି ହ୍ୱାଟ୍ସଆପରେ ଚେକ୍ କରିପାରିବେ ପିଏଫ୍ ବାଲାନ୍ସ,

ଭୁବନେଶ୍ୱର, ୦୫/୧୧ : ଚାକିରିଆଙ୍କ ପାଇଁ ବଡ଼ ଖବର । ଏଣିକି ନିଜ ପିଏଫ୍ ଆକାଉଣ୍ଟର ବାଲାନ୍ସ ଚେକ୍ କରିବା କିମ୍ବା ଆକାଉଣ୍ଟ ସମ୍ପର୍କିତ ତଥ୍ୟ ପାଇବା ପାଇଁ ଇପିଏଫ୍ଓ କାର୍ଯ୍ୟାଳୟ ଯିବାକୁ ପଡ଼ିବନି । ଏବେ ହ୍ୱାଟ୍ସଆପ୍ ଜରିଆରେ ଘରେ ବସି ମିଳିପାରିବ ପିଏଫ୍ ଆକାଉଣ୍ଟର ତଥ୍ୟ । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଇପିଏଫ୍ଓର ନୂଆ ହ୍ୱାଟ୍ସଆପ୍ ସେବା ଆରମ୍ଭ କରିଛନ୍ତି । ଏହି ସେବା ମାଧ୍ୟମରେ ସଦସ୍ୟମାନେ ନିଜ ମୋବାଇଲରେ ପିଏଫ୍ ବାଲାନ୍ସ, ଶେଷ ପାଞ୍ଚଟି ଟ୍ରାଞ୍ଜାକ୍ସନ୍ ଏବଂ ପାସବୁକ୍ ସମ୍ପର୍କିତ ତଥ୍ୟ ପାଇପାରିବେ । ଏହାସହ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ସମ୍ପର୍କିତ ଔପଚାରିକତା ପୂରଣ ପାଇଁ ମଧ୍ୟ ଆବଶ୍ୟକ ସହାୟତା ମିଳିବ ।

ପ୍ରଥମେ ଇପିଏଫ୍ଓର ଅଧିକାରିକ ୱେବସାଇଟକୁ ଯାଇ ନିଜ ଅଞ୍ଚଳର ଆଞ୍ଚଳିକ କାର୍ଯ୍ୟାଳୟର ସତ୍ୟାପିତ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ଜାଣିବାକୁ ହେବ । ଏହାପରେ ସେହି ନମ୍ବରକୁ ହ୍ୱାଟ୍ସଆପ୍ରେ ଖୋଲି ‘Hello’ ମେସେଜ୍ ପଠାଇବାକୁ ପଡ଼ିବ । ପରେ ଉପଲବ୍ଧ ବିକଳ୍ପ ଅନୁଯାୟୀ ଆଗକୁ ବଢ଼ି ନିଜ ଆକାଉଣ୍ଟର ତଥ୍ୟ ପାଇପାରିବେ ।

ଏହାସହ ଆଧାର ସହ ସତ୍ୟାପିତ ଏପରି ନିଷ୍କ୍ରିୟ ପିଏଫ୍ ଆକାଉଣ୍ଟର ସ୍ୱୟଂଚାଳିତ ନିଷ୍ପତ୍ତି ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି, ଯେଉଁଥିରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା ରହିଛି । ଏଥିପାଇଁ ଯୋଗ୍ୟ ସଦସ୍ୟଙ୍କୁ ଅଲଗା ଭାବେ ଦାବି ଆବେଦନ କରିବାକୁ ପଡ଼ିବନି । ପରିଚୟ ଓ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକ ଯାଞ୍ଚ ପରେ ଇପିଏଫ୍ଓ ନିଜେ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିବ । ଏହି ପ୍ରକ୍ରିୟାରେ ପ୍ରାୟ ଏକ ଲକ୍ଷ ଆକାଉଣ୍ଟରେ ଜମା ଥିବା ମୋଟ ୫ କୋଟି ଟଙ୍କା ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଆଶା କରାଯାଉଛି ।

ମନ୍ତ୍ରୀ ମାଣ୍ଡଭିୟାଙ୍କ ସୂଚନା ଅନୁଯାୟୀ, ଦେଶର ୮ କୋଟିରୁ ଅଧିକ ସଦସ୍ୟଙ୍କ ଅବଦାନ ଯୋଗୁଁ ଇପିଏଫ୍ଓ ପାଖରେ ପ୍ରାୟ ୩୨ ଲକ୍ଷ କୋଟି ଟଙ୍କାର ପାଣ୍ଠି ରହିଛି । ସେହିପରି ପିଏଫ୍ ଦାବିଗୁଡ଼ିକର ନିଷ୍ପତ୍ତି ପାଇଁ ହାରାହାରି ସମୟ ଅକ୍ଟୋବର ୨୦୨୬ରେ ହ୍ରାସ ପାଇ ୨.୫୭ ଦିନରେ ପହଞ୍ଚିଛି । ଏହି ନୂଆ ପଦକ୍ଷେପ ଦ୍ୱାରା ପିଏଫ୍ ସଦସ୍ୟମାନଙ୍କୁ ଆହୁରି ସହଜ ଓ ତ୍ୱରିତ ସେବା ମିଳିବ ବୋଲି ଆଶା କରାଯାଉଛି ।