ବାଣୀବିହାର : ୨୦ କୋଟି ଟଙ୍କାର କୋଠା ଏବେ ଭୂତକୋଠି , ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ, ପାଚେରି ମୁକୁଳା

ଭୁବନେଶ୍ବର,୧୬/୯: ଧୀରେ ଧୀରେ ଭୁଶୁଡ଼ୁଛି ଉତ୍କଳ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି। ୨୦ କୋଟିରୁ ଅଧିକ ଟଙ୍କାର ୫ଟି କୋଠା ଏବେ ଭୂତକୋଠି ପାଲଟିଥିବା ବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ କ୍ୟାମ୍ପସରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ। ସିସିଟିଭି ବି କାମ କରୁନି। ଆଗରୁ ଯାହା ଯେମିତି ପାଚେରି ଭାଙ୍ଗିଥିଲା, ବାତ୍ୟା ‘ଫନି’ ପରେ ସମ୍ପୂର୍ଣ୍ଣ କ୍ୟାମ୍ପସ ମୁକୁଳା। ଇତି ମଧ୍ୟରେ ବାତ୍ୟାକୁ ସାଢ଼େ ୪ ମାସ ବିତି ଯାଇଥିଲେ ମଧ୍ୟ ମରାମତି ଦିଗରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କାଣିଚାଏ ବି ପଦକ୍ଷେପ ନେଇନାହାନ୍ତି। ହଷ୍ଟେଲଗୁଡ଼ିକ ଅବସ୍ଥା ବି ନ କହିବା ଭଲ। ଯେଉଁଥିପାଇଁ ନାକ୍‌ ‘ଏ+’ ଗ୍ରେଡ୍‌ ହାସଲ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୨୦୨୧ରେ ପୁଣିଥରେ ନାକ୍‌ ଟିମ୍‌ ଆସିବ। ଏବେ ବିଶ୍ବବିଦ୍ୟାଳୟ ଯେଉଁ ସ୍ଥିତି ଦେଇ ଗତି କରୁଛି, ସେତେବେ‌ଳକୁ ‌ନାକ୍‌ ‘ଏ’ ଗ୍ରେଡ୍‌ ମିଳିବା କଷ୍ଟକର ହୋଇପଡ଼ିବ ବୋଲି ପ୍ରଫେସରମାନେ କହିଛନ୍ତି।

ବଡ଼ କଥା ହେଲା, ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ଦୋହଲି ଯାଇଥିଲେ ମଧ୍ୟ ଉତ୍କଳକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ସ୍ବପ୍ନ ମୁଣ୍ଡରୁ ଖସୁ ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଓ ବିଶ୍ବବିଦ୍ୟାଳୟ କୁଳପତି ଯେକୌଣସି ସଭା‌, ସମିତି, ସମୀକ୍ଷା ବୈଠକରେ ଯୋଗଦେଇ କହୁଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ‘ଏ+’ ଗ୍ରେଡ୍‌ ପାଇଛି। ତାହାକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ବିଶ୍ବବିଦ୍ୟାଳୟସ୍ତରୀୟ ଶିକ୍ଷାନୁଷ୍ଠାନ ହେବ। ତେବେ ସେମାନଙ୍କର ଏଭଳି ବାହା‌ସ୍ପୋଟ ଆଉ ‌କେତେ ଦିନ ବୋଲି ପ୍ରଫେସରମାନେ ମତ ପ୍ରକାଶ କରିଛନ୍ତି। ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲେ କ’ଣ ଉତ୍କର୍ଷ କେନ୍ଦ୍ର ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ୧୦ ଦଫା ଦାବିରେ ଆନ୍ଦୋଳନ ଡାକରା ଦେଇଛି ଉତ୍କଳ ବିଶ୍ବବିଦ୍ୟାଳୟ ଷ୍ଟୁଡେଣ୍ଟ ଫୋରମ୍‌। ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସ୍ଥାନାନ୍ତର, ପରୀକ୍ଷା ସରିବାର ୪୫ଦିନ ଭିତରେ ଫଳ ପ୍ରକାଶ, ହଷ୍ଟେଲ, ମାଇଗ୍ରେସନ, ପ୍ରବେଶିକା ପରୀକ୍ଷା ଫି’ ଦୁଇ ଗୁଣ ବୃଦ୍ଧି ପ୍ରତ୍ୟାହାର, ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ୨୪ ଘଣ୍ଟିଆ ଜାତୀୟ ପତାକା ଉଡ଼ାଇବା, ବସ୍ତି ଉଚ୍ଛେଦ, ନୂତନ ଭାବେ ନିର୍ମାଣ ହୋଇଥିବା କୋଠାଗୁଡ଼ିକ କାର୍ଯ୍ୟକ୍ଷମ କରିବା, ଛାତ୍ରାବାସ କାନ୍ଥ ମରାମତି, ସ୍ଥାୟୀ ଅଧ୍ୟାପକ ପଦ ପୂରଣ, ଅଚଳ ଆମ୍ବୁଲାନ୍ସକୁ ସଚଳ କରିବା ଦାବିରେ ଏହି ଆନ୍ଦୋଳନ କରାଯିବ।