ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ : ପୋଲିସ ସହ ଧସ୍ତାଧସ୍ତି, ୭ ଆହତ

ଭୁବନେଶ୍ୱର,୭/୨: ରାଜ୍ୟରେ ଯୁବକମାନଙ୍କୁ ରୋଜଗାର ମିଳୁନାହିଁ। ସରକାର ଯୁବକମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ଏହାକୁ ବିରୋଧ କରି ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଗୁରୁବାର ବିଧାନସଭା ଘେରାଉ କରାଯାଇଛି । ୧୦ ହଜାରରୁ ଊର୍ଦ୍ଧ୍ୱ ଯୁବକ ଭାଜପା ପାର୍ଟି ଅଫିସରୁ ବାହାରି ପିଏମ୍‌ଜି ଅଭିମୁଖେ ଯାଇଥିଲେ।

ପୋଲିସ ଅଟକାଇବାରୁ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଏହାପରେ କର୍ମୀମାନେ ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ଏକାଧିକ ଯୁବକଙ୍କୁ ଗିରଫ କରିଥିଲା। ମାତ୍ର ସେମାନେ ପୋଲିସକୁ ଟମାଟୋ, ପାଣିପାଉଚ, ଢେଲା ମାଡ଼ କରିଥିଲେ। ଏଥିରେ ୭ଜଣ ଆହତ ହୋଇଛନ୍ତି । ଦୀର୍ଘ ୨ ଘଣ୍ଟା ଧରି ପୋଲିସ ଓ ଭାଜପା ଯୁବମୋର୍ଚ୍ଚା ମଧ୍ୟରେ ବଳ କଷାକଷି ହେବା ପରେ ଶତାଧିକ ଯୁବକଙ୍କୁ ଗିରଫ କରାଯାଇଛି।