ବିଲୁପ୍ତ ପଥରେ ୪୦ରୁ ଅଧିକ ଭାରତୀୟ ଭାଷା !

ସରକାରଙ୍କ ଅପରିଣାମଦର୍ଶିତା କାରଣରୁ ୪୦ରୁ ଅଧିକ ଭାରତୀୟ ଭାଷା ପ୍ରତି ସଙ୍କଟ ମାଡ଼ିଆସୁଛି । ଏତିକିବେଳୁ ଭାଷା ସୁରକ୍ଷା ଉଦ୍ୟମ ନହେଲେ ଅଳ୍ପ କିଛି ବର୍ଷ ମଧ୍ୟରେ ୪୦ରୁ ଅଧିକ ଭାରତୀୟ ଭାଷା ଲୋପ ପାଇନା ନିଶ୍ଚିତ । ମାତ୍ର କେଇ ହଜାର ଲୋକ ବିରଳ ଭାରତୀୟ ଭାଷାରେ କଥାବାର୍ତ୍ତା ହେଉଛନ୍ତି । ଜନଗଣନା ନିର୍ଦ୍ଦେଶାଳୟ ରିପୋର୍ଟ ଅନୁସାରେ ୨୨ଟି ସୂଚୀତ ଭାଷା ଓ ୧୦୦ ଅଣସଂରକ୍ଷିତ ଭାଷା ଅଧିକାଂଶ ଭାରତୀୟ ବ୍ୟବହାର କରୁଛନ୍ତି । ତେବେ ୧୦ ହଜାରରୁ କମ ଲୋକ ବିଲୁପ୍ତପ୍ରାୟ ୪୨ଟି ଭାଷାରେ କଥାବାର୍ତ୍ତା ହେଉଛନ୍ତି । ୟୁନେସ୍କୋ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ୪୨ ଭାରତୀୟ ଭାଷାର ଭବିଷ୍ୟତ ସଙ୍କଟରେ ବୋଲି ଉଲ୍ଳେଖ କରାଯାଇଛି ।
ବିଲୁପ୍ତପ୍ରାୟ ଭାଷାଗୁଡ଼ିକ ମଧ୍ୟରୁ ୧୧ଟି ଭାଷା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଅଛି । ସେଗୁଡ଼ିକ ହେଲା ଆଣ୍ଡାମାନିଜ, ଜରାୱା, ଲାମୋଙ୍ଗସେ, ଲୁରୋ, ମୁତ, ଓଙ୍ଗେ, ପୁ, ସାନେନ୍ୟୋ, ସେଣ୍ଟିଲେସେ, ସୋମ୍ପେନ ଓ ତାକାହାନୟିଲଙ୍ଗ । ମଣିପୁରର ସାତୋଟି ଭାଷା ହେଉଛି ଏମୋଲ, ଆକା, କୋଇରେନ, ଲାମଗାଙ୍ଗ, ଲାଙ୍ଗରଙ୍ଗ, ପୁରୁମ ଓ ତାରାଓ । ହିମାଚଳ ପ୍ରଦେଶର ଚାରିଟି ଭାଷା ବାଘାତି, ହାଣ୍ଡୁରି, ପାଙ୍ଗବାଲି ଓ ସିରମଉଡ଼ । ଅନ୍ୟ ବିଲୁପ୍ତମୁଖୀ ଭାଷା ହେଉଛିି ଓଡ଼ିଶାର ମାଣ୍ଡା, ପାରଜୀ ଓ ପେଙ୍ଗୋ । ଆନ୍ଧ୍ରପ୍ରଦେଶର ଗଡ଼ାବା ଓ ନାଇକି, କର୍ଣ୍ଣାଟକର କୋରାଗା ଓ କୁରୁବା, ତାମିଲନାଡ଼ୁର କୋଟା ଓ ତୋଡ଼ା, ଆସାମର ତାଇନୋରା ଓ ତାଇରଙ୍ଗ, ଉତ୍ତରାଖଣ୍ଡର ବାଙ୍ଗାନୀ, ଝାଡ଼ଖଣ୍ଡର ବୀରହୋର, ମହାରାଷ୍ଟ୍ରର ନିହାଲି, ମେଘାଳୟର ରୁଗା ଓ ପଶ୍ଚିମବଙ୍ଗର ଟୋଟୋ । ମହୀଶୂରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚୁ୍ୟଟ ଅଫ୍‌ ଇଣ୍ଡିଆନ ଲାଙ୍ଗୁଏଜ ବିପଦମୁଖୀ ଭାରତୀୟ ଭାଷା ସୁରକ୍ଷା ଦିଗରେ କାମ କରୁଛି । ୨୨ ସୂଚୀତ ଭାଷା ବ୍ୟତୀତ ଅନ୍ୟ ୩୧ଟି ଭାରତୀୟ ଭାଷାକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତରଫରୁ ସରକାରୀ ଭାଷାର ମାନ୍ୟତା ଦିଆଯାଇଛି ।
ଏବେ ଭାରତରେ ୧୬୩୫ ପ୍ରକାରର ମାତୃଭାଷା, ୨୩୪ ସ୍ୱୀକୃତିପ୍ରାପ୍ତ ମାତୃଭାଷା ଓ ୨୨ଟି ପ୍ରମୁଖ ଭାଷା ବ୍ୟବହୃତ ହୋଇଆସୁଛି ।