ନୂଆଦିଲ୍ଲୀ,୫/୫: ଭାରତରେ କରୋନା ଭାଇରସ ଉଗ୍ରରୂପ ଧାରଣ କରୁଛି । କ୍ରମାଗତ ଭାବେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶବ୍ୟାପୀ ସୋମବାର ମୋଟ ପ୍ରାୟ ୨୯୦୦ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଗୋଟିଏ ଦିନରେ ସର୍ବାଧିକ । ଏଥି ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର ୩୫୬ରେ ପହଞ୍ଚିଛି ।
ଗତ ୪ ଦିନରେ ୧୦ ହଜାର ୪୬୨ କରୋନା ପଜିଟିଭ ଜଣ ଚିହ୍ନଟ ହୋଇଥିଲେ । ଏହା ମୋଟ ସକ୍ରିୟଙ୍କ ୩୪ ପ୍ରତିଶତ । ଦେଶରେ କରୋନା ଯୋଗୁ ସୋମବାର ୯୯ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ମଧ୍ୟ ଏତିକି ସଂଖ୍ୟାରେ ଲୋକଙ୍କ ଜୀବନ ଯାଇଥିଲା । ଭାରତରେ ମୃତକଙ୍କ ସଂଖ୍ୟା ୧୪୯୦ରେ ପହଞ୍ଚିଛି । ସେହିଭଳି ୧୨ ହଜାର ୭୬୩ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।
ମହାରାଷ୍ଟ୍ର ପରେ ତାମିଲନାଡୁ ଏବେ କରୋନା ସଂକ୍ରମିତରେ ୨ୟ ରାଜ୍ୟ ହୋଇଛି । ଏଠାରେ ଗୋଟିଏ ଦିନରେ ୫୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସୋମବାର ୭୭୧, ତାମିଲନାଡୁରେ ୫୨୭, ଗୁଜୁରାଟରେ ୩୭୬, ଦିଲ୍ଲୀରେ ୩୪୯, ରାଜସ୍ଥାନରେ ୧୭୫, ହିରୟାଣାରେ ୭୫ ଓ ପଶ୍ଚିମବଙ୍ଗରେ ୬୧ ଜଣ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ପଂଜାବରେ ମଧ୍ୟ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟ ପଂଜାବ ପାଇଁ ଚ୍ୟାଲେଞ୍ଜିଂ ରହିଛି । ନାନ୍ଦେଡ ଫେରନ୍ତା ଶ୍ରଦ୍ଧାଳୁ ରାଜ୍ୟ ପାଇଁ ଚିନ୍ତା ବଢ଼ାଇଛନ୍ତି । ରାଜ୍ୟରେ ସୋମବାର ୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ନାନ୍ଦେଡ ଫେରନ୍ତା ହେଉଛନ୍ତି ୧୨୪ ଜଣ । ସେହିପରି ରାଜ୍ୟରେ ମୋଟ ୧୨୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ନନ୍ଦେଡରୁ ଫେରିଛନ୍ତି ୭୭୪ ଜଣ ଶ୍ରଦ୍ଧାଳୁ ।