ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୫୭୩୪ , ମୃତ୍ୟୁ ସଂଖ୍ୟା ୧୬୬

ନୂଆଦିଲ୍ଲୀ,୯/୪: କରୋନା କବଳରେ ଭାରତ । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିଚାଲିଛି । ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଅନରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୭୩୪ ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଛି ।

କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢ଼ିଯାଇଛି । ବିଶ୍ୱର ପ୍ରାୟ ୨୦୩ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । ଏହା ସତ୍ୱେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୪୦ ଜଣ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବେଳେ ୧୭ ଜଣ ପ୍ରାଣ ହରାଇଥିବା ମାମଲା ସାମନାକୁ ଆସିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୭୩୪ ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬୬ ରେ ପହଞ୍ଚିଛି ଏବଂ ୪୭୩ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିବା ଜଣାପଡ଼ିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୯୫ ସକ୍ରିୟ ଅଛନ୍ତି ।

ଆଜି ପଞ୍ଜାମ, ଝାଡ଼ଖଣ୍ଡ,ଛତିଶଗଡ଼, ୟୁପି, ବିହାର ,ମଧ୍ୟପଦେଶରେନୂଆ ମାମଲା ସାମନାକୁ ଆସିଛି । ତେବେ ବର୍ତ୍ତମାନ ଆନ୍ଧ୍ରପଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୩୯ରେ ପହଂଚିଛି । ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୮ ହୋଇଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୫ ହୋଇଛି । ସେଥିରୁ ୧୧୭ଜଣ ସୁସ୍ଥ ହୋଇଥିବା ବେଳେ ୭୨ଜଣଙ୍କ ମୁଣ୍ଡ ନେଇଛି କରୋନା । ସେହିପରି ତାମିଲନାଡ଼ୁରେ ୭୩୮ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ଦିଲ୍ଲୀରେ ୬୬୯ ଚିହ୍ନଟ ହୋଇଛନ୍ତି । କେରଳରେ ମଧ୍ୟ ଅଧିକ କରୋନା ଆକ୍ରାନ୍ତ ରହିଥିବା ଜଣାପଡ଼ିଛି । ଏଯାଏଁ ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ଥବା ୧୬୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।