ଜୟପୁର,୨୬/୩ : ଆଇପିଏଲ୍ କ୍ରିକେଟ୍ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ରାଜସ୍ଥାନ ରୟାଲ୍ସର ଓପନର୍ ଜୋସ୍ ବଟଲର ‘ମଙ୍କଡିଙ୍ଗ୍’ ଆଉଟ୍ର ଶିକାର ହୋଇଛନ୍ତି। ସୋମବାର ରାଜସ୍ଥାନ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍ ଅବସରରେ ବଟ୍ଲର ଦୁର୍ଭାଗ୍ୟଜନକ ଭାବେ ଏହି ‘ମଙ୍କଡିଙ୍ଗ୍’ ଆଉଟ୍ର ଶିକାର ହୋଇଥିଲେ। ବଟ୍ଲରଙ୍କୁ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଏହି ଆଉଟ୍ କରି ବେଶ୍ ବିବାଦୀୟ ହୋଇଛନ୍ତି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୮୫ ଟାର୍ଗେଟ୍କୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ଇନିଂସର ୧୩ତମ ଓଭରରେ ଏହି ବିବାଦୀୟ ଘଟଣା ଦେଖିବାକୁ ମିଳିଥିଲା। ଅଶ୍ୱିନ ଏହି ଓଭର ବୋଲିଂ କରୁଥିବାବେଳେ ବଟ୍ଲର ୪୩ ବଲରୁ ୬୯ ରନ (୧୦ ଚୌକା, ୨ ଛକା) କରି ନନ୍-ଷ୍ଟ୍ରାଇକରେ ରହିଥିଲେ। ଓଭରର ୫ମ ବଲ ବୋଲିଂ କରୁଥିବାବେଳେ ଅଶ୍ୱିନ ବଲ୍କୁ ହାତରୁ ରିଲିଜ ନ କରି ଅମ୍ପାୟର ପଟ୍ ଷ୍ଟମ୍ପ୍ସ ଭାଙ୍ଗି ଦେଇଥିଲେ। ସେତେବେଳକୁ ବଟଲର କ୍ରିଜ ବାହାରେ ରହିଥିଲେ। ଏହାପରେ ୩ୟ ଅମ୍ପାୟରଙ୍କ ନିଷ୍ପତ୍ତିକ୍ରମେ ବଟ୍ଲରଙ୍କୁ ଆଉଟ୍ ଘୋଷିତ କରାଯାଇଥିଲା। ତେବେ ଏହିଭଳି ଆଉଟ୍ ପୂର୍ବରୁ କୌଣସି ଓ୍ବାର୍ନିଂ ଦେଇ ନ ଥିବାରୁ ଅଶ୍ୱିନଙ୍କୁ ଏବେ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏପରିକି ଏହାକୁ ଅଶ୍ୱିନଙ୍କ ଅଣଖେଳୁଆଡ଼ ମନୋଭାବ ବୋଲି ଅନେକ କ୍ରିକେଟର ମତ ଦେଇଛନ୍ତି। ଏହିଭଳି ଆଉଟ୍ର ଶିକାର ହୋଇ କ୍ରିଜ ଛାଡ଼ିବା ପୂର୍ବରୁ ବଟ୍ଲର ଓ ଅଶ୍ୱିନଙ୍କ ମଧ୍ୟରେ କିଛି ସମୟ ବାକ୍ୟ ବିନିମୟ ହୋଇଥିବାର ଦେଖିବାକୁ ମିଳିଥିଲା। ଆଇପିଏଲ୍ର ଚଳିତ ଦ୍ୱାଦଶ ସଂସ୍କରଣରେ ଏହାକୁ ସବୁଠାରୁ ବଡ଼ ବିବାଦୀୟ ଘଟଣା ହେବାକୁ ଯାଉଛି। ପ୍ରକାଶଯୋଗ୍ୟ, କ୍ରିକେଟରେ ‘ମଙ୍କଡିଙ୍ଗ୍’ ଆଉଟ୍ର ଇତିହାସରେ ବେଶ୍ ପୁରୁଣା। ୧୯୯୨-୯୩ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତର କପିଳ ଦେବ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ପିଟର କ୍ରିଷ୍ଟେନଙ୍କୁ ଏହିଭଳି ଆଉଟ୍ କରି ଚର୍ଚ୍ଚାକୁ ଆସିଥିଲେ।