ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବଣ୍ଟନ: ଶିବସେନାକୁ ଗୃହ ମନ୍ତ୍ରଣାଳୟ, ଏନସିପିକୁ ଅର୍ଥ ଓ କଂଗ୍ରେସକୁ ମିଳିଲା ରାଜସ୍ଵ

ମୁମ୍ବାଇ,୧୨/୧୨: ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସର ମେଣ୍ଟ ସରକାରରେ ଶେଷରେ ମନ୍ତ୍ରଣାଳୟର ବଣ୍ଟନ ହୋଇଛି। ଏଥିରେ ଶିବସେନା ହାତରେ ମହତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି। ଉଦ୍ଧବ ଠାକରେଙ୍କ ପାର୍ଟିକୁ ଗୃହ ମନ୍ତ୍ରଣାଳୟ, ପୂର୍ତ୍ତ, ନଗର ଉନ୍ନୟନ, ଶିଳ୍ପ ପରି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ମିଳିଥିବା ବେଳେ କଂଗ୍ରେସକୁ ରାଜସ୍ଵ, ମହିଳା ଓ ଶିଶୁ କଲ୍ୟାଣ ଆଦି ମନ୍ତ୍ରଣାଳୟର ଦାୟିତ୍ଵ ଦିଆଯାଇଛି। ଏନସିପିକୁ ଗ୍ରାମାଞ୍ଚଳ ବିକାଶ, ଜଳ ସମ୍ବଳ ଓ ଅର୍ଥ ମନ୍ତ୍ରଣାଳୟ ମିଳିଛି। ଉଲ୍ଲେଖନୀୟ ସରକାର ଗଠନର ପ୍ରାୟ ୧୫ ଦିନ ପରେ ତିନି ଦଳ ମଧ୍ୟରେ ମନ୍ତ୍ରଣାଳୟ ବଣ୍ଟନ ହୋଇଛି।

ରାଜ୍ୟ ସରକାରରେ ମହତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ଶିବସେନା ପାଖରେ ରହିଛି। ଦଳର ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କୁ ଗୃହ ମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି। ଏହା ବ୍ୟତୀତ ତାଙ୍କୁ ନଗର ଉନ୍ନୟନ, ପରିବେଶ, ପୂର୍ତ୍ତ, ପର୍ୟ୍ୟଙଟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କରାଯାଇଛି। ସିନ୍ଧେଙ୍କ ସହିତ ପାର୍ଟିର ସୁଭାଷ ଦେସାଇଙ୍କୁ ଶିଳ୍ପ, ଉଚ୍ଚ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବ, ରୋଜଗାର ମନ୍ତ୍ରୀ କରାଯାଇଛି।

ମେଣ୍ଟରେ ମହତ୍ଵପୂର୍ଣ୍ଣ ଭୂମିକା ରଖିଥିବା ଶରଦ ପାଓ୍ଵାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଅର୍ଥ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି। ପାର୍ଟିର ବରିଷ୍ଠ ନେତା ଜୟନ୍ତ ପାଟିଲଙ୍କୁ ଅର୍ଥ ମନ୍ତ୍ରୀ କରାଯାଇଛି। ଏହା ବ୍ୟତୀତ ତାଙ୍କୁ ଗୃହ, ଖାଦ୍ୟ ଯୋଗାଣ ଓ ଶ୍ରମ ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇଛି। ଅନ୍ୟ ବରିଷ୍ଠ ନେତା ଛଗନ ଭୁଜବଳଙ୍କୁ ଗ୍ରାମ୍ୟ ଉନ୍ନୟନ, ସାମାଜିକ ନ୍ୟାୟ, ଜଳ ସମ୍ବଳ ଓ ଅବକାରୀ ମନ୍ତ୍ରୀ କରାଯାଇଛି।

ଅନ୍ୟପଟେ ୪୪ ବିଧାୟକ ବିଶିଷ୍ଟ କଂଗ୍ରେସକୁ ରାଜସ୍ଵ ଓ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ମିଳିଛି। ପାର୍ଟିର ବରିଷ୍ଠ ନେତା ବାଲା ସାହେବ ଥୋରାଟଙ୍କୁ ରାଜସ୍ଵ, ଗଣଶିକ୍ଷା, ପଶୁପାଳନ ଏବଂ ମତ୍ସ୍ୟ ପାଳନ ମନ୍ତ୍ରୀ କରାଯାଇଛି। ନୀତିନ ରାଉତଙ୍କୁ ପୂର୍ତ୍ତ ଆଦିବାସୀ ବିକାଶ, ଅନ୍ୟ ପଛୁଆ ବର୍ଗ ବିକାଶ, ମହିଳା ଓ ଶିଶୁ କଲ୍ୟାଣ, ରିଲିଫ ଓ ପୁନଃଥଇଥାନ ମନ୍ତ୍ରଣାଳୟ ମିଳିଛି।