ଭୁବନେଶ୍ୱର, ୧୩/୧୧: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ତୃତୀୟ ଦିନରେ ବିଭିନ୍ନ ଶିଳ୍ପ ଉଦ୍ୟୋଗୀ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତୃତୀୟ ଦିନ ପ୍ରଥମ ପର୍ଯ୍ୟାୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ), ସ୍ୱାସ୍ଥ୍ୟସେବା ଓ ବୟନ ଶିଳ୍ପରେ ଅର୍ଥ ବିନିଯୋଗ ନେଇ ଆଲୋଚନା ହୋଇଥିଲା । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ସରକାରୀ ଓ ଘରୋଇ ଭାଗୀଦାରୀରେ ପୁଞ୍ଜି ନିବେଶ ହେବ । ଆଗାମୀ ୩ ବର୍ଷ ପାଇଁ ମିଳିଛି ୨,୭୬୦ କୋଟି ଟଙ୍କାର ପ୍ରତିଶ୍ରୁତି । ଡିଜିଟାଲ ଡିସପେନ୍ସାରୀରେ ୯୦ କୋଟି, ରୋଗ ନିରୂପଣ ଓ ଡାଏଲିସିସ୍ରେ ୭୦୦ କୋଟି । ସାରା ରାଜ୍ୟରେ ମୋଟ ୨୫ଟି ସ୍ଥାନରେ ପ୍ରତିଷ୍ଠା ହେବ ସୁଲଭ ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ । ଏଥିପାଇଁ ୧୩୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ । ଏହା ସହିତ ଦୂରାରୋଗ୍ୟ କ୍ୟାନସର ଓ ହୃଦରୋଗ ପାଇଁ ବିଶେଷ ଭାବେ ୬୭୦ କୋଟି ଟଙ୍କା ଖର୍ଚ୍ଚ କରିବେ ପୁଞ୍ଜିପତି । ଝାରସୁଗୁଡ଼ାରେ କେବେଳ ହୃଦରୋଗୀଙ୍କ ୭୦ କୋଟି ଟଙ୍କାରେ ଖୋଲିବ ସ୍ୱତନ୍ତ୍ର ହସ୍ପିଟାଲ । ସେହିପରି କ୍ୟାନସର୍ ଚିକିତ୍ସା କ୍ଷେତ୍ରରେ ନିବେଶ ହେବ ୬୦୦ କୋଟି ଟଙ୍କା ଖର୍ଚ୍ଚି କରିବାକୁ ପୁଞ୍ଜିପତିମାନେ ପ୍ରତିଶ୍ରୁତି ଦେଇଛନ୍ତି ।