ଜଳେଶ୍ୱର, ୧୩/୧ : ୧୯ବର୍ଷ ଶାସନକାଳ ମଧ୍ୟରେ ନବୀନ ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି। ଦିନକୁ ଦିନ ରାଜ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଛି। ଅସାଧୁ ୨/୫ ଜଣ କର୍ମଚାରୀ ଏବେ ଶାସକ ଦଳର ହାତବାରିଶି ସାଜିଛନ୍ତି। ଧାନମଣ୍ଡିରେ କଟନୀ, ଛଟନୀ ନାଁରେ ଚାଷୀଙ୍କୁ ଶୋଷଣ କରାଯାଇ ନିର୍ବାଚନ ପାଇଁ ଶାସକ ଦଳ ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି। ସୁବର୍ଣ୍ଣରେଖା ନଦୀକୂଳରେ ଅବସ୍ଥିତ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳକୁ ମେଗା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଅଦ୍ୟାବଧି ପାଣି ଚାଷ ଜମିକୁ ଯୋଗାଇ ଦିଆଯାଇପାରିନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଜଳେଶ୍ୱର ଗସ୍ତ ଅବସରରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ଏଭଳି ମୁକ, ବଧିର, ସମ୍ବେଦନହୀନ ସରକାରଙ୍କୁ ଜବାବ ମାଗିବା ପାଇଁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ସୁଗୋ ପଞ୍ଚାୟତ ଧାନସିମୁଳିଆସ୍ଥିତ ହେଲିପ୍ୟାଡରେ ହେଲିକପ୍ଟରରେ ଅବତରଣ କରିବା ପରେ ତାଙ୍କୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ରୋଡ଼ ଶୋ’ କରାଯାଇଥିଲା। ମନ୍ତ୍ରୀ ପ୍ରଧାନ ଶାନ୍ତିଆ ଗ୍ରାମର ଘରକୁ ଘର ଯାଇ ଲୋକଙ୍କୁ ଭେଟି ସୁଖ ଦୁଃଖ ବୁଝିଥିଲେ। ଏହାପରେ ଜଳେଶ୍ୱର ସହର ଶାନ୍ତିଆ ଷ୍ଟାଡିୟମ ପରିସରରେ ଆୟୋଜିତ ‘ଜବାବ୍ ମାଗୁଛି ଓଡ଼ିଶା’ ସଭାରେ ସେ ଯୋଗଦେଇ ନବୀନ ସରକାରଙ୍କ ବିରୋଧରେ ବହୁ ଅଭିଯୋଗ ଆଣିବା ସହିତ ବିଭିନ୍ନ ପ୍ରଶ୍ନର ଜବାବ୍ ମାଗିଥିଲେ। ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଜନସଭାରେ ଭାଜପା ଜିଲା ସଭାପତି ମଦନମୋହନ ଦତ୍ତ ସଭାପତିତ୍ୱ କରିଥିଲେ। ଭାଜପାର ବରିଷ୍ଠନେତା ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଶୋଭନା ମହାନ୍ତି, ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁଶାନ୍ତ ପଟ୍ଟନାୟକ, ଜିଲା କୃଷକ ମୋର୍ଚ୍ଚା ସଭାପତି ମହେନ୍ଦ୍ରନାଥ ଦାସ, ଶୁଭଙ୍କର ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହି ବିଜେଡି ସରକାରଙ୍କ ବିରୋଧରେ ବକ୍ତବ୍ୟ ଦେଇଥିଲେ।