ନୂଆଦିଲ୍ଲୀ, ୨୪।୧୧: ୨୦୧୯ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ଜୋର ଧରିଛି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଧର୍ମସଭାରେ ଯୋଗ ଦେବା ଲାଗି ଆରଏସଏଏ , ବିଶ୍ୱ ହିନ୍ଦୁ ପରିଷଦ ଓ ଶିବସେନା କର୍ମୀ ମିଶି ୨ ଲକ୍ଷ ସମର୍ଥକ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। ଏହି କର୍ମୀମାନେ ରବିବାର ସୁଦ୍ଧା ଅଯୋଧ୍ୟାରେ ପହଞ୍ଚିବେ। କରସେବକପୁରମରେ ରବିବାର ଅପରାହ୍ଣ ୨ଟାରେ ସଭା ଆରମ୍ଭ ହେବ । ଏଥିପାଇଁ ୮୦ ହଜାର କରସେବକଙ୍କୁ ନେଇ ୧୩୨୨ଟି ବସ ଓ ୧୫୪୬ଟି ଚାରିଚକିଆ ଯାନ ସହରକୁ ଆସୁଛି। ଥାନେରୁ ୫ଟି ସ୍ବତନ୍ତ୍ର ଟ୍ରେନରେ ୨୨ ଜଣ ଶିବସେନା ସାଂସଦ ଓ ୬୨ ଜଣ ବିଧାୟକଙ୍କ ନେତୃତ୍ୱରେ ପ୍ରାୟ ୪ ହଜାର ଶିବସୈନିକଙ୍କ ଆସୁଛନ୍ତି। ଏତେ ସଂଖ୍ୟାରେ କର୍ମୀ ଆସିବାର ଥିବାରୁ କିଛି ବି ଅଘଟଣ ଘଟିବାର ବାର ଆଶଙ୍କା ରହିଛି। ହିନ୍ଦୁ ସଂଗଠନର ବିପୁଳ ସଦସ୍ୟ ଏକତ୍ରିତ ହେଉଥିବାରୁ ସେଠାରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି ବିପଦ ଆଶଙ୍କା ଥିବା ଅଭିଯୋଗ ହୋଇଛି। ସେଥିପାଇଁ ସେନା ମୁତୟନ କରିବାକୁ ସପା ସୁପ୍ରିମୋ ତଥା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।