ରାହୁଲଙ୍କ ଅସ୍ଥିର ପ୍ରଦର୍ଶନ ରୋହିତଙ୍କ ପାଇଁ ସୁଯୋଗ ଆଣିଛି: ଗାଙ୍ଗୁଲି

ନୂଆଦିଲ୍ଲୀ,୬/୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାକୁ ଭାରତ ୨-୦ରେ ପୋଛି ନେଇଥିଲେ ମଧ୍ୟ ଭାରତର ପ୍ରାରମ୍ଭିକ ଯୋଡ଼ି ଚିନ୍ତା ଦୂର ହୋଇନି। ମୟଙ୍କ ଅଗ୍ରୱାଲଙ୍କ ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହେଉଛି, ହେଲେ ତାଙ୍କୁ ଅଧିକ ସୁଯୋଗ ମିଳିବା ଦରକାର। ଅଗ୍ରୱାଲଙ୍କ ଯୋଡ଼ିଦାର ଲୋକେଶ ରାହୁଲଙ୍କ ଅସ୍ଥିର ପ୍ରଦର୍ଶନ କିନ୍ତୁ ଜାରି ରହିଛି। ଏହା ଶୀର୍ଷକ୍ରମରେ ରୋହିତ ଶର୍ମାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହା କହିଛନ୍ତି। ଦିନିକିଆ ଭଳି ରୋହିତଙ୍କୁ ଟେଷ୍ଟରେ ମଧ୍ୟ ପାଳି ଆରମ୍ଭ କରିବାର ସୁଯୋଗ ଦେବାକୁ ସେ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଆହ୍ବାନ କରିଛନ୍ତି।

ଏଥିନେଇ ସେ କହିଛନ୍ତି, ରୋହିତଙ୍କୁ ଶୀର୍ଷକ୍ରମରେ ଖେଳାଇବାକୁ ମୁଁ ପୂର୍ବରୁ ମଧ୍ୟ ପରାମର୍ଶ ଦେଇଥିଲି। ମୁଁ ଏବେ ବି ବିଶ୍ବାସ କରେ ଯେ ତାଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ମିଳିବା ଦରକାର। ସେ ଜଣେ ଚମତ୍କାର ଖେଳାଳି। ରୋହିତଙ୍କୁ ଦଳରୁ ଦୂରେଇ ରଖାଯାଇ ନପାରେ। ସୂଚନାଯୋଗ୍ୟ ଯେ ରୋହିତ ବିଶ୍ବକପ୍‌ରେ ୯ ମ୍ୟାଚ୍‌ରୁ ୫ ଶତକ ସହ ୬୪୮ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ଯାଇଥିବା ଟେଷ୍ଟ ଦଳରେ ସେ ସାମିଲ ଥିଲେ ମଧ୍ୟ ଗୋଟିଏ ହେଲେ ବି ମ୍ୟାଚ୍‌ରେ ସୁଯୋଗ ପାଇ ନଥିଲେ।