ବିଜେପି କ୍ଷମତାକୁ ଆସିଲେ ନ୍ୟାୟିକ ସଂସ୍ଥାକୁ ସୁଦୃଢ କରାଯିବ : ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର,୧/୩: ରାଜ୍ୟ ସରକାର ବିଚାର ବିଭାଗୀୟ ସଂସ୍ଥାଗୁଡିକୁ ଦୁର୍ବଳ କରିବାରେ ଲାଗିଛନ୍ତି। ଯେଉଁଥିପାଇଁ ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି। ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ଲାଗି ରାଜ୍ୟ ସରକାରଙ୍କ ଜିଦ୍‌ ଓ ଏକଛତ୍ରବାଦୀ ମନୋବୃତ୍ତି ଏହାର ସ୍ପଷ୍ଟ ଉଦାହରଣ। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ନବୀନ ସରକାରଙ୍କ ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଏହି ବିଚାର ବିଭାଗୀୟ ସଂସ୍ଥାକୁ ସୁଦୃଢ କରାଯିବ ବୋଲି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି,“ହାଇକୋର୍ଟ ଗୁଡ଼ିକରେ ବହୁ ମକଦ୍ଦମା ବିଚାର ନହୋଇ ପଡ଼ିରହୁଥିବାରୁ କେନ୍ଦ୍ର ସରକାରଙ୍କ ସରକାରୀ କର୍ମଚାରୀମାନଙ୍କୁ ନ୍ୟାୟ ଦେବା ପାଇଁ ଏକ ଆଇନ୍‌ ବଳରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ଓ ରାଜ୍ୟ କର୍ମଚାରୀଙ୍କ ପାଇଁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ପ୍ରତିଷ୍ଠା କରିଥିଲେ। ସେହି ଅନୁସାରେ ୧୯୮୬ ଜୁଲାଇ ୧୪ ତାରିଖରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ଗଠନ ହେଲା। ଏହା ବଳରେ ରାଜ୍ୟର କର୍ମଚାରୀମାନେ ତ୍ୱରିତ ନ୍ୟାୟ ପାଇଲେ। ହେଲେ ରାଜ୍ୟ ସରକାରଙ୍କ ଦୂରଦୁଷ୍ଟି ଅଭାବରୁ ୨୦୧୫ ସେପ୍ଟେମ୍ୱର ୯ ତାରିଖରେ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ କରିଦେବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଲେ। ସରକାରଙ୍କ ଏଭଳି ମନମୁଖୀ ନିଷ୍ପତ୍ତି ବିରୋଧରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନେତୃତ୍ୱରେ ସାରା ରାଜ୍ୟରେ ଆଇନଜୀବୀ ଆନ୍ଦାଳନ କରିଥିଲେ। ସରକାର ଏହାର ପୁର୍ନବିଚାର କରିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ସରକାର ତାଙ୍କ ଜିଦରେ ଅଟଳ ରହିଥିଲେ।”