ସରକାର ମାନିଲେ, ୪୫ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ବଣ୍ଟା ଯାଇଛି

ଭୁବନେଶ୍ଵର,୧୩/୧୧: ନିର୍ବାଚନ ବୈତରଣୀ ପାରି ହେବାକୁ ରାଜ୍ୟ ସରକାର କୃଷକଙ୍କ ମଧ୍ୟରେ ଟଙ୍କା ବାଣ୍ଟିବା ନାମରେ ଆରମ୍ଭ କରିଥିଲେ କାଳିଆ ଯୋଜନା। ଏହି ଆଧାରରେ କୃଷକଙ୍କୁ ୫ ହଜାର ଟଙ୍କା ଦିଆଯାଉଛି। କିନ୍ତୁ ଏହି ଯୋଜନା ଆରମ୍ଭ ଦିନଠୁ ଆଜି ପର୍ଯ୍ୟନ୍ତ ବିବାଦ ଘେରରେ ରହି ଆସିଛି। କାରଣ ଯୋଜନାର ଫାଇଦା ଉଠାଇଛନ୍ତି ହଜାର ହଜାର ଅଯୋଗ୍ୟ ହିତାଧିକାରୀ। ପ୍ରଥମେ ପ୍ରଥମେ ଏହାକୁ ଏଡ଼ାଇ ଦେଉଥିଲେ ମଧ୍ୟ ପରେ ରାଜ୍ୟ ସରକାର ହୃଦୟଙ୍ଗମ କରିଥିଲେ। ଏହି କ୍ରମରେ ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ ଖୋଦ୍ ବିଧାନସଭାରେ କହିଛନ୍ତି ଯେ, ୪୫ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ବଣ୍ଟା ଯାଇଛି।

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ କାଳିଆ ଯୋଜନା ସଂପର୍କରେ ଲିଖିତ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ବିଧାୟକ ତାରା ବାହିନୀପତି, ଅଶ୍ଵିନ ପାତ୍ର ଓ ଅନନ୍ତ ଜେନାଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନାରେ ଏ ଯାବତ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କୁ ଟଙ୍କା ମିଳିଛି। ପ୍ରତ୍ୟେକ ୫ ହଜାର ହିସାବରେ ୨୫୫୨ କୋଟି ୬୪ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଛି। ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ମଧ୍ୟରୁ ୪୫, ୯୬୫ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ବଣ୍ଟା ଯାଇଛି। ଅଯୋଗ୍ୟ ଠାରୁ ଟଙ୍କା ଫେରସ୍ତ ଲାଗି ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନଭେମ୍ୱର ମାସରେ ଦ୍ୱିତୀୟ କିସ୍ତି ଦେବେ ରାଜ୍ୟ ସରକାର । ସରକାରକୁ ଆସିଲେ ପ୍ରଥମ ଦିନରେ କାଳିଆ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ନବୀନ ହେଲେ ତାହା ତ ହେଲାନି, ସରକାର ଗଠନ ହେବାର ୫ ମାସ ପରେ ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି।

ଯେଉଁ କାଳିଆ ଯୋଜନାକୁ ଧରି ନିର୍ବାଚନୀ ବୈତରଣୀ ପାର ହୋଇଥିଲା ବିଜେଡି ପାଇଁ ସରକାରକୁ ଆସିବା ପରେ ତାହା ହିଁ ଗଳାରେ ହାଡ ହୋଇଥିଲା । ସରକାରକୁ ଫେରିବାର ଗୋଟିଏ ଦିନରେ କିସ୍ତି ଟଙ୍କା ଦେବା ନେଇ ନବୀନ ପ୍ରତିଶ୍ରୁତି ଦେଇଥିଲେ,କିନ୍ତୁ ରକ୍ଷା କରି ପାରିନଥିଲେ । ଏହାପରେ ଧିରେ ଧିରେ କାଳିଆରେ ହୋଇଥିବା ଦୁର୍ନୀତି ଉଜାଗର ହେବାରେ ଲାଗିଥିଲା । ରାଜକୋଷରୁ ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ପାଣି ବୋହିଥିବା ଖବର ସାମ୍ନାକୁ ଆସିଥିଲା । ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ସରକାରୀ ଅଧିକାରୀ, କୃଷି ମନ୍ତ୍ରୀ ଏବଂ ଶାସକ ଦଳର ମୁଖପାତ୍ରାଙ୍କ ମଧ୍ୟରେ ତାଳମେଳ ନଥିଲା ।