ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କଲରା

ସାଧାରଣତଃ କଲରା ନାଁ ଶୁଣିଲେ ଲୋକେ ନାକ ଟେକିଥାନ୍ତି । ଏଥିରେ ପିତା ଅଂଶ ରହିଥିବାରୁ ଅନେକେ ଏହା ଖାଇବାକୁ ପସନ୍ଦ କରିନଥାନ୍ତି । କିନ୍ତୁ କଲରାରେ ବହୁ ଭିଟାମିନ୍‌ ଭରି ରହିଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ । ପ୍ରତି ୧୦ରୁ ୧୫ ଦିନ ମଧ୍ୟରେ ଦିନଟିଏ କଲରା ଖାଇବା ଉଚିତ୍‌ । ଅନ୍ୟ ପରିବା ଓ ଫଳ ଅପେକ୍ଷା କଲରାରେ ଅଧିକ ଔଷଧୀୟ ଗୁଣ ରହିଛି । କଲରାରେ କାର୍ବୋହାଇଡ୍ରେଟ୍‌, ଫସ୍‌ଫରସ୍‌, ପ୍ରୋଟିନ୍‌ ଓ କ୍ୟାଲସିୟମ୍‌ ଭରି ରହିଛି । କଲରା ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ । ଲିଭର୍‌ ସହିତ ଜଡ଼ିତ କିଛି ରୋଗ ଥିଲେ କଲରା ଖାଇବା ଉଚିତ୍‌ । କଲରା ପାଚନରେ ସହାୟକ ହୋଇଥାଏ । କଲରା ଜୁସ୍‌ରେ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଶରୀରର ଓଜନ କମ୍‌ ହୋଇଥାଏ । କଲରାରେ ଫସ୍‌ଫରସ୍‌ ରହିଥିବାରୁ ଶରୀରରେ କଫ ଜମିଥିଲେ କଲରା ଖାଇବା ଦ୍ୱାରା ସାମାନ୍ୟ ହାଲ୍‌କା ଲାଗିଥାଏ । ଝାଡ଼ା କିମ୍ବା ବାନ୍ତି ହେଉଥିଲେ କଲରା ଜୁସ୍‌ରେ କଳା ଲୁଣ ପକାଇ ଅଳ୍ପ ପିଇବା ଦ୍ୱାରା କିଛି ମାତ୍ରାରେ ଶରୀରକୁ ଉପଶମ ମିଳିଥାଏ । ମଧୁମେହ ରୋଗୀଙ୍କ ପାଇଁ କଲରା ବେଶ୍‌ ଲାଭଦାୟକ । ଶରୀରରେ ସୁଗାର ସ୍ତରକୁ ନିୟନ୍ତ୍ରିତ କରିବାରେ ଏହା ସହାୟକ ହୋଇଥାଏ ।