ହରିୟାଣା : ହାରିଲେ ପହଲମାନ ଯୋଗେଶ୍ୱର ଦତ୍ତ ଓ ବବିତା ଫୋଗଟ, ଜିତିଲେ ହକି ତାରକା ସନ୍ଦୀପ ସିଂ

ନୂଆଦିଲ୍ଲୀ,୨୪/୧୦ : ହରିୟାଣା ବିଧାନସଭା ନିର୍ବାଚନରେ ଏବେ ବି ସ୍ଥିତି ସ୍ପଷ୍ଟ ହୋଇନାହିଁ । ଏବେ ବି ସରକାର କିଏ ଗଢିବ ତାହା ଜଣାପଡୁନାହିଁ । ତେବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ବିଜେପି ଗତ ଥର ତୁଳନାରେ ଏଥର ଖରାପ ପ୍ରଦର୍ଶନ କରିଛି । ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବା ବିଭିନ୍ନ ସେଲିବ୍ରିଟିଙ୍କ ମଧ୍ୟରୁ ଅଧିକାଂଶ ହାରି ଯାଇଛନ୍ତି । ହାରିଯାଇଥିବା କ୍ରୀଡ଼ା ତାରକାଙ୍କ ମଧ୍ୟରେ ଅଛନ୍ତି ରେସଲର ଯୋଗେଶ୍ୱର ଦତ୍ତ, ବବିତା ଫୋଗଟ ଓ ଟିକଟକ ଷ୍ଟାର ସୋନାଲି ଫୋଗଟ ।

ଅଲମ୍ପିକ ପଦକ ବିଜେତା ଯୋଗେଶ୍ୱର ବରୋଦ ବିଧାନସଭା ଆସନରୁ ଲଢିଥିଲେ। ତେବେ ସେ କଂଗ୍ରେସର ଶ୍ରୀକୃଷ୍ଣ ହୁଡାଙ୍କଠାରୁ ହାରିଯାଇଛନ୍ତି । ସେହିପରି ଦାଦରି ଆସନରୁ ରେସଲର ବବିତା ଫୋଗଟ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କଠାରୁ ହାରି ଯାଇଛନ୍ତି ।

ମାତ୍ର ଭାରତୀୟ ହକି ଦଳର ପୂର୍ବତନ ତାରକା ଖେଳାଳି ସନ୍ଦୀପ ସିଂ ବିଜୟୀ ହୋଇଛନ୍ତି । ସେ କୁରୁକ୍ଷେତ୍ର ଜିଲ୍ଲାର ପେହୋବା ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରେ ଛିଡା ହୋଇଥିଲେ। ସେ କଂଗ୍ରେସର ମନଦୀପ ସିଂ ଚଟ୍ଟାଙ୍କୁ ୫୩୧୪ ଭୋଟରେ ପରାସ୍ତ କରିଛନ୍ତି ।

ହରିୟାଣାରେ ଝୁଲା ବିଧାନସଭା ହେବାର ସମ୍ଭାବନା ଜଳ ଜଳ ଦେଖାଯାଉଥିବାବେଳେ ଦୁଇ ମୁଖ୍ୟ ଦଳ ବିଜେପି ଓ କଂଗ୍ରେସ ସ୍ୱାଧୀନ ଓ ଅନ୍ୟ ଆଞ୍ଚଳିକ ଦଳଙ୍କୁ ନିଜ ନିଜ ଶିବିରକୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ହରିୟାଣାରେ ବିଜେପି ୩୯ଟି ଓ କଂଗ୍ରେସ ୩୧ଟି ଆସନରେ ଆଗୁଆ ଅଛନ୍ତି । ଅନ୍ୟପକ୍ଷରେ ଦ୍ୟୁଷ୍ୟନ୍ତ ଚୌଟାଲାଙ୍କ ନବଗଠିତ ଜେଜେପି ୧୦ଟି ଆସନ ପାଇବାକୁ ଯାଉଛି । ସ୍ୱାଧୀନ ଓ ଅନ୍ୟାନ୍ୟ ପ୍ରାର୍ଥୀମାନେ ୯ଟି ଆସନ ପାଇବା ସମ୍ଭାବନା ରହିଛି ।