ନୂଆଦିଲ୍ଲୀ,୯ା୪: ସମ୍ପ୍ରତି ଭାରତରେ ସୋସିଆଲ ଏମର୍ଜେନ୍ସି ବା ‘ସାମାଜିକ ଜରୁରୀ ପରିସ୍ଥିତି’ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏହି ଘାତକ ଭୂତାଣୁରେ ୫,୯୧୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭୯ ଜଣଙ୍କ ଜୀବନ ଚାଲିଗଲାଣି। ଏହାର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ହେଲେ ସମସ୍ତ ଭାରତୀୟ ଏହି ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରୁନାହାନ୍ତି। ଫଳରେ ସ୍ଥିତି ଅଣାୟତ୍ତ ହୋଇଛି। ଆଗକୁ ଅବସ୍ଥା ଆହୁରି ଗମ୍ଭୀର ହୋଇପାରେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍ଡାଉନ୍ ଅବଧି ବୃଦ୍ଧି ପାଇଁ ଚିନ୍ତା କରୁଛନ୍ତି।
ଆସନ୍ତା ୧୪ ତାରିଖରେ ତାଲାବନ୍ଦ ମିଆଦ ଶେଷ ହେଉଥିବାବେଳେ ସଂକ୍ରମଣ ଓ ମୃତ୍ୟୁକୁ ରୋକିବା ଲାଗି ଆଗକୁ ଏହି ଅବଧିକୁ ବଢ଼ାଯିବ। କାରଣ କୋଭିଡ୍-୧୯ର ଦୌରାମତ୍ୟ ରୋକିବାକୁ ହେଲେ ଏଭଳି କଠୋର ନିଷ୍ପତ୍ତି ନିଆଯିବା ଜରୁରୀ। ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ଭାବ ବିନିମୟ କରି ବୁଧବାର ଏପରି ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ବିଶ୍ୱକୁ କବଳିତ କରିଛି କରୋନା। ଏହି ମହାମାରୀର ପଞ୍ଝାରେ ରହିଛି ୨୦୯ ଦେଶ ଓ ସମୁଦ୍ରରେ ଭାସୁଥିବା ୨ ଜାହାଜ। ଇଟାଲୀ, ଫ୍ରାନ୍ସ ଓ ଆମେରିକା ଭଳି ଦେଶ ଭାଇରସ୍ର ଆଁ’ରେ ପଡ଼ି ମହାବିନାଶ ଆଡ଼କୁ ଗତି କରୁଥିବାବେଳେ ଭାରତ ବି ବର୍ତ୍ତିପାରି ନାହିଁ ଏହାର ଆକ୍ରମଣରୁ। ଭାରତରେ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୪ ତାରିଖରେ ଲକ୍ଡାଉନ୍ ଘୋଷଣା କରିଥିଲେ, ଯାହାର ସମୟସୀମା ଏପ୍ରିଲ ୧୪ରେ ଶେଷ ହେଉଛି। ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଲକ୍ଡାଉନ୍ ଘୋଷଣା କରାଯାଇଥିଲା ତାହା ପୂରଣ ହୋଇପାରି ନାହିଁ। ଏଥିପାଇଁ ଏହି ମିଆଦକୁ ଆସନ୍ତା ୧୪ରେ ଶେଷ ନ କରି ଆଗକୁ ବଢ଼ାଯିବ। ଭିଡିଓ କନ୍ଫରେନ୍ସିଂ ଜରିଆରେ ସଂସଦୀୟ ଦଳ ନେତାମାନଙ୍କ ସହ ଆଲୋଚନା କରି ଆଗକୁ ମଧ୍ୟ ଏହି ମହାଯୁଦ୍ଧ ଜାରି ରଖିବାକୁ ପ୍ରସ୍ତୁତ ହେବା ସକାଶେ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି।