ବଲାଙ୍ଗୀର, ୭/୧୨: ବଲାଙ୍ଗୀର ସହରରେ ଶୁକ୍ରବାର ୮ଟି ଉନ୍ନୟନ ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିଲା । ସରକାରୀ ଭାବେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିରୋଧୀଦଳ ନେତା ତଥା ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଯୋଗଦେଇ ପ୍ରକଳ୍ପଗୁଡିକର ଉଦ୍ଘାଟନ କରିଥିଲେ । ଉତ୍ସବରେ ଏମପି କଲିକେଶ ନାରୟଣ ସିଂଦେଓ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ବଲାଙ୍ଗୀର ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ମିଶ୍ର, ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମହାପାତ୍ର ଓ ଖକେନ୍ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୮୬.୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜିଲାପାଳଙ୍କ ବାସଭବନ ଛକରୁ ରୁଗୁଡିପଡା, ମହାଲକ୍ଷ୍ମୀନଗର ଦେଇ ଯାଇଥିବା ରାସ୍ତାକୁ ପ୍ରଥମେ ଉଦ୍ଘାଟନ କରାଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ଓ ଏମପି ମିଳିତ ଭାବେ ଯୋଗଦେଇଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏଭଳି ସହଯୋଗ ରହିଲେ ଆଗକୁ ଆହୁରି ବିକାଶ ତ୍ୱରାନ୍ବିତ ହେବ ବୋଲି ବିଧାୟକ ମିଶ୍ର କହିଛନ୍ତି । ବଲାଙ୍ଗୀରକୁ ଏକ ବିକଶିତ ସହର ଭାବେ ଗଢ଼ାଯିବ ସେ ବୋଲି କହିଛନ୍ତି । ସିଂଦେଓ ମଧ୍ୟ ବଲାଙ୍ଗୀର ବିକାଶ ପାଇଁ ସହଯୋଗ ଜାରି ରହିବ ବୋଲି କହିଥିଲେ।