“ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମନଧନ ଯୋଜନା” ଶୁଭାରମ୍ଭ

ଭୁବନେଶ୍ୱର,୫/୩: ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନା ବିଶ୍ୱର ସବୁଠୁ ବଡ଼ କଲ୍ୟାଣକାରୀ ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଯୋଜନା ସମାଜର ସବୁଠୁ ଗରିବ ଓ ଉପେକ୍ଷିତ ବର୍ଗଙ୍କ ସୁରକ୍ଷା କବଚ ହେବ। ଶ୍ରମୟୋଗୀ ଯୋଜନାରେ ମାସିକ ୩ ହଜାର ଟଙ୍କାର ପେନ୍‌ସନ୍ ବ୍ୟବସ୍ଥା ଗରିବ ଲୋକର ଜୀବନକୁ ପରିବର୍ତ୍ତନ କରିପାରିବ। ଭାରତ ସରକାରଙ୍କ ଛୋଟ ପଦକ୍ଷେପ ସମାନ୍ୟ ଲୋକର ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ଭୁବନେଶ୍ୱରଠାରେ ‘ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ’ ଯୋଜନାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି-“ଦେଶରେ ଆଜି ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଆଜିଠୁ ଦେଶରେ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନା ନାଁରେ ଭାରତ ସରକାରଙ୍କ ତରଫରୁ ଦୁନିଆର ସବୁଠୁ ବଡ଼ ପେନ୍‌ସନ୍‌ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଅହମ୍ମଦାବାଦଠାରେ ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ଭାରତବର୍ଷର ଅସଂଗଠିତ କ୍ଷେତ୍ରର ୪୨ କୋଟି ଲୋକଙ୍କ ପାଇଁ ଏପରି କୌଣସି ସହାୟତା ବ୍ୟବସ୍ଥା ନଥିଲା। କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା ଥିବାରୁ ଅବସର ପରେ ସେମାନେ ଲାଭ ପାଉଥିଲେ। ମାତ୍ର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ଯଥା ଛୋଟ ବିକାଳୀ, ରିକ୍ସା ଚାଳକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ, ସଫେଇ କାର୍ଯ୍ୟ, ପେଟ୍ରୋଲ ପମ୍ପରେ ତେଲ ଭରୁଥିବା କର୍ମଚାରୀ, ଗ୍ୟାସ ବିତରକରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ କୌଣସି ସାମାଜିକ ସୁରକ୍ଷା ମିଳିବାର ବ୍ୟବସ୍ଥା ନଥିଲା। ଭାରତ ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଭାରତବର୍ଷର ୪୨ କୋଟି ଲୋକଙ୍କ ପାଇଁ ଆରମ୍ଭ କରାଯାଇଛି। ଓଡ଼ିଶା ଭଳି ରାଜ୍ୟ ଏହି ଯୋଜନାରେ ବିଶେଷ ଲାଭ ପାଇବ।”

ସେ କହିଛନ୍ତି-“ଓଡ଼ିଶାରେ କାର୍ଯ୍ୟ କରୁଥିବା ଅଢ଼େଇ କୋଟି ଲୋକମାନଙ୍କ ମଧ୍ୟରୁ ୨ କୋଟି ଲୋକ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ନରେନ୍ଦ୍ର ମୋଦି ଏଭଳି ଏକ ବ୍ୟବସ୍ଥା କରିଛନ୍ତି। ଏହି ଯୋଜନାରେ ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଲୋକ ଏହି ପେନ୍‌ସନ୍‌ ଯୋଜନାରେ ଯୋଗଦେଇପାରିବେ। ପ୍ରିମିୟମ୍‌ ବାବଦକୁ ୧୮ ବର୍ଷର ପିଲା ମାସକୁ ୫୫ ଟଙ୍କା ଦେଲେ, ୪୦ ବର୍ଷର ଲୋକ ୨୦୦ ଟଙ୍କା ଦେବ। ଯେତିକି ଟଙ୍କା ବ୍ୟକ୍ତି ଦେବ, ସେତିକି ଟଙ୍କା ଭାରତ ସରକାର ଦିଲ୍ଲୀରୁ ପଠାଇବେ। ଏହି ଯୋଜନାରେ ବ୍ୟକ୍ତିଜଣକ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ମଧ୍ୟ ଲାଭାର୍ଥୀ ହେବ। ଭାରତବର୍ଷରେ ପ୍ରଥମ ଥର ପାଇଁ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୩ ହଜାର ଟଙ୍କା ପେନ୍‌ସନ ବ୍ୟବସ୍ଥା କରିଛନ୍ତି।”

SBI_Festive_Digital Billboard