ନୂଆଦିଲ୍ଲୀ, ୦୯/୦୫ : ଜାରି ରହିଛି ଭାରତର ଅପରେସନ୍ ସିନ୍ଦୂର । ପାକିସ୍ତାନ ଆତଙ୍କବାଦ ବିରୋଧରେ ଆରମ୍ଭ ହୋଇଛି ’ଅପରେସନ୍ ସିନ୍ଦୁର’ । ସେହିପରି ପାକିସ୍ତାନ ଭାରତର ୧୫ଟି ସହରକୁ ଟାର୍ଗେଟ୍ କରିବା ପରେ ଦୃଢ଼ ଜବାବ ଦେଇଛି ଭାରତୀୟ ବାୟୁସେନା । ଭାରତୀୟ ବାୟୁସେନାର ଏସ-୪୦୦ ଏୟାର ଡିଫେନ୍ସ ପ୍ରତିଟି ଆକ୍ରମଣକୁ ବିଫଳ କରିଛି । ଭାରତ ଜବାବ ଦେବାକୁ ଯାଇ ରାୱଲପିଣ୍ଡି, ଲାହୋର ଓ କରାଚି ଭଳି ପ୍ରମୁଖ ସହରରେ ଘନଘନ ଆକ୍ରମଣ କରିଛି । ଗୁରୁବାର କରାଚିରେ ସକାଳ ୧୦ଟା ବେଳେ ଡ୍ରୋନରେ ଆକ୍ରମଣ କରିଥିଲା ଭାରତ । ଆକ୍ରମଣରେ ଅନେକ ଘରର ଛାତ ଉଡ଼ିଯାଇଛି । ଯାହା ପରେ କରାଚିରେ ବ୍ଲାକଆଉଟ୍ କରାଯାଇଛି, କାରଣ ବିଦ୍ୟୁତ ତାର ବିପୁଳ ମାତ୍ରାରେ କ୍ଷତି ହୋଇଛି । ଏହାପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଆରବ ସାଗରରେ ନୌସେନାର ଅପରେସନ ଆରମ୍ଭ । ଭାରତର ବିଭିନ୍ନ ସ୍ଥାନରେ ପାକିସ୍ତାନର ମିସାଇଲ ଓ ଡ୍ରୋନ୍ ଷ୍ଟ୍ରାଇକ ପରେ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଅପରେସନ ଆରମ୍ଭ କରିଛି ନୌସେନା । ପାକିସ୍ତାନର ଏକଧିକ ସ୍ଥାନକୁ ଟାର୍ଗେଟ୍ କରିଥିବା ସୂଚନା ମିଳିଛି । ପାକିସ୍ତାନର ସବୁ ଆକ୍ରମଣର ଜବାବ ଦିଆଯିବ । ପୂରା ଫୋର୍ସର ସହ ଜବାବ ଦିଆଯିବ ବୋଲି କହିଛି ଭାରତୀୟ ଆର୍ମୀ । ଦେଶର ସାର୍ବଭୌମତା ଏବଂ ଆଞ୍ଚଳିକ ଏକତା ରକ୍ଷା ପାଇଁ ସେନା ପ୍ରତିବଦ୍ଧ ବୋଲି ଆର୍ମୀ ପକ୍ଷରୁ କୁହାଯାଇଛି । ପାକିସ୍ତାନର ସବୁ ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣକୁ ପ୍ରତିହତ କରାଯାଇଛି। ଏଲଓସିରେ ପାକିସ୍ତାନ ସିଜ୍ ଫାୟାର ଉଲଂଘନ ଜାରି ରଖିଥିବା କହିଛି ସେନା ।