ସରକାରଙ୍କୁ ଅଡୁଆରେ ପକାଇଲେ ମହାରଥୀ , ଫୋନି ହିତାଧିକାରୀଙ୍କ ଚିହ୍ନଟ ଭୁଲ ହୋଇଛି

ଭୁବନେଶ୍ଵର,୧/୭: ପିପିଲି ବିଧାୟକ ତଥା ଦଳର ଟାଣୁଆ ନେତା ପ୍ରଦୀପ ମହାରଥୀ ସରକାରଙ୍କୁ ଅକଳରେ ପକାଇଛନ୍ତି। ଫୋନି କ୍ଷତିଗ୍ରସ୍ତଙ୍କ ଚିହ୍ନଟରେ ଗୃହରେ ଆଲୋଚନା ସମୟରେ ସରକାରଙ୍କ ଭୁଲ ଧରିଲେ ମହାରଥୀ।

ଆଜି ଗୃହରେ ଫୋନି କ୍ଷତିଗ୍ରସ୍ତଙ୍କ ଚିହ୍ନଟ ନେଇ ମୁଲତବି ଆଲୋଚନା ଚାଲିଥିଲା। ଏହି ସମୟରେ ବିଧାୟକ ପ୍ରଦୀପ ମହାରଥୀ ପୁରୀ ଜିଲ୍ଲାରେ ଫୋନି କ୍ଷତିଗ୍ରସ୍ତଙ୍କ ଚିହ୍ନଟ୍ ସଠିକ୍ ଢଙ୍ଗରେ ହୋଇନଥିବା କହିଥିଲେ। ଏହା କହି ସେ ସରକାରଙ୍କ ଭୁଲ ଧରିଥିଲେ ଏବଂ ୬୦-୭୦ ଭାଗ ହିତାଧିକାରୀଙ୍କ ଚିହ୍ନଟ ଭୁଲ ବୋଲି ମହାରଥୀ କହିଥିଲେ।

ମହାରଥୀ କହିଛନ୍ତି ଯେ, ଚିହ୍ନଟ ହିତାଧିକାରୀଙ୍କ ତାଲିକ ମାଗିଥିଲେ ମଧ୍ୟ ଅଫିସର ଦେଖାଇନଥିଲେ। ସ୍ଵତନ୍ତ୍ର ରିଲିଫ କମିସନର ଚିହ୍ନଟ ତାଲିକା ଦେଖାଇବାକୁ ମନା କରିଛନ୍ତି ବୋଲି ଅଧିକାରୀ କହିଥିଲେ। ମହାରଥୀଙ୍କ ଏହି ବିବୃତ୍ତି ପରେ ଗୃହରେ ବିରୋଧୀ ଦଳ ପକ୍ଷରୁ ହୋ ହାଲ୍ଲା ଆରମ୍ଭ ହୋଇଥିଲା।

ମହାରଥୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖୀ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ହିତାଧିକାରୀଙ୍କ ଚିହ୍ନଟ ନେଇ ପ୍ରତିବାଦ ଆହ୍ଵାନ କରାଯାଇଛି। ନିୟମ ଅନୁସାରେ ଆମେ ସହାୟତା ଦେବୁ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମେ ୩ରେ ଆସିଥିବା ବାତ୍ୟା ଫୋନିର ରାଜ୍ୟର ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏ ଯାଏ ଜିଲ୍ଲାର କିଛି ଅଞ୍ଚଳରେ ଅଧିକାରୀଙ୍କ ପାଦ ପଡିନଥିବା କ୍ଷତିଗ୍ରସ୍ତ ଲୋକେ ଅଭିଯୋଗ କରିଛନ୍ତି। ସମସ୍ତ ଘରକୁ ବିଜୁଳି ମଧ୍ୟ ମିଳିପାରି ନାହିଁ।