ନିର୍ବାଚନ ଲଢ଼ିବା ବୟସ କମାଇବା ଦାବି ଖାରଜ: ଆବେଦନ ଉପଯୁକ୍ତ ନୁହେଁ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୮/୧୧ : ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ କରିବା ଦାବିରେ ଦାଖଲ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଆବେଦନକୁ ଉପଯୁକ୍ତ ମନେ କରିନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏଥିସହ ଆବେଦନକାରୀଙ୍କୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି । ଶୁଣାଣି ସମୟରେ ଆଇନଜୀବୀ ଯୁକ୍ତି ଦର୍ଶାଇଥିଲେ ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ୬୧ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଭୋଟ୍ ଦେବାର ସର୍ବନିମ୍ନ ବୟସ ୨୧ରୁ ୧୮ ବର୍ଷକୁ ହ୍ରାସ କରାଯାଇଥିଲା । କିନ୍ତୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ୨୫ ବର୍ଷ ଏବଂ ରାଜ୍ୟସଭା ପାଇଁ ୩୦ ବର୍ଷ ରହିଛି । ରାଜ୍ୟ ବିଧାନସଭା ଓ ବିଧାନ ପରିଷଦ ପାଇଁ ମଧ୍ୟ ସମାନ ବୟସ ସୀମା ଲାଗୁ ହେଉଛି ।