ନୂଆଦିଲ୍ଲୀ,୦୪/୧୦: ଉତ୍ତର ଆରବ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ ‘ଶକ୍ତି’ର ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ପ୍ରଶାସନ ହାଇଆଲର୍ଟରେ ରହିଛି ।
ଆଇଏମ୍ଡି କହିଛି କି, ବର୍ତ୍ତମାନ ଏହି ଗଭୀର ଅବପାତ ଦ୍ୱାରକା ଠାରୁ ୨୪୦ କି.ମି. ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଏବଂ ପୋରବନ୍ଦର ଠାରୁ ୨୭୦ କି.ମି. ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ଥିଲା । ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଏହା ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି । ଆଗାମୀ ୨୪ ଘଣ୍ଟାରେ ଏହା ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେବ । ଗୁଜରାଟ ଓ ମହାରାଷ୍ଟ୍ର ଉପକୂଳରେ ପ୍ରବଳ ବର୍ଷା ସହ ପବନ ବହିବ । ଅକ୍ଟୋବର ୪ ତାରିଖରୁ ପବନର ବେଗ ଘଣ୍ଟା ପ୍ରତି ୬୫-୭୫ କି.ମି. ରହିବ ଏବଂ ଅପରାହ୍ନ ୫ଟା ୩୦ ବେଳକୁ ଏହାର ବେଗ ୧୦୦-୧୧୦ କି.ମି ହେବ । ୬ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ପବନ ଲାଗି ରହିବ । ଉଚ୍ଚ ଜୁଆର ମଧ୍ୟ ଆସିବ । ତେଣୁ ସମୁଦ୍ର ଭିତରକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।
