ନୂଆଦିଲ୍ଲୀ, ୧୫/୭ : ଉତ୍ତର ପ୍ରଦେଶର ଅଯୋଧ୍ୟା ଏବଂ ମିର୍ଜାପୁରରେ ଲଗାତର ଗାଈ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅସନ୍ତୁଷ୍ଟ ହୋଇ ୮ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରେ ମିର୍ଜାପୁରର ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଅଯୋଧ୍ୟାର ବିଡିଓଙ୍କ ନାମ ସାମିଲ ରହିଛି । ଏତଦ୍ ବ୍ୟତୀତ ଯୋଗୀ ସରକାର ପ୍ରୟାଗରାଜ ଓ ମିର୍ଜାପୁରର କମିଶନରଙ୍କ ସହିତ ଏହି ମାମଲାରେ ଯାଂଚ୍ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଗୋବଂଶଙ୍କ ବର୍ଦ୍ଧିତ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଅଧିକାରୀଙ୍କ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛନ୍ତି କି, ଯଦି ଅବହେଳା କାରଣରୁ ଗାଇଙ୍କର ମୃତ୍ୟୁ ହୁଏ ତେବେ ଦୋଷୀ ବିରୋଧରେ ଗୋବଧ ନିବାରଣ ଅଧିନିୟମ ଏବଂ ପଶୁ କ୍ରୂରତା ଅଧିନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ।
ଯୋଗୀ ଆଦିତ୍ୟନାଥ ଏହି ମାମଲାରେ ଜିଲ୍ଲାର ଡିଏମଙ୍କ ସହ ଭିଡିଓ କନଫରେନ୍ସିଙ୍ଗରେ ବାର୍ତାଳାପ କରିଛନ୍ତି । ଏହି ସମୟରେ ସେ ମଲ୍କୀପୁର ବିଡିଓ, ଉପ ଚିକିତ୍ସକ ଅଧିକାରୀ, ପଲିୟାମାଫିର ଗ୍ରାମ ପଂଚାୟତ ଅଧିକାରୀ, ଅଯୋଧ୍ୟା ନଗର ନିଗମର କାଞ୍ଜୀ ହାଉସ୍ ପ୍ରଭାରୀ ଡଃ ଉପେନ୍ଦ୍ର କୁମାର ଏବଂ ଡଃ ବିଜେନ୍ଦ୍ର କୁମାରଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଭିଡିଓ କନଫରେନ୍ସିଙ୍ଗ ସମୟରେ ଯୋଗୀ କହିଛନ୍ତି କି, ଗାଈମାନଙ୍କର ଆଶ୍ରୟ ସ୍ଥଳୀ ସଂଚାଳନ, ନୀରିକ୍ଷଣ ଏବଂ ଭରଣ ପୋଷଣର ଦାୟିତ୍ୱ ଡିଏମ ଏବଂ ସିବିଓ ନେବେ । ଗୋଶାଳା ଗୁଡିକର ନୀରିକ୍ଷଣ କରାଯିବ । ଯେଉଁ ଗୋପାଳକ ଗାଈ ଠାରୁ କ୍ଷୀର ପାଇ ସାରିବା ପରେ ପଶୁଙ୍କୁ ସଡକରେ ଛାଡି ଦେଉଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ସହ ଦଣ୍ଡ ବିଧାନ କରାଯିବ ଏବଂ ନିରାଶ୍ରିତ ଗାଈମାନଙ୍କୁ ଯିଏ ଆଶ୍ରା ଦେବ ତାଙ୍କୁ ମାସିକ ୯୦୦ ଟଙ୍କା ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
