ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ, ବାହାର ଖାଦ୍ୟ ଉପରେ କଟକଣା ଜାରି

ଭୁବନେଶ୍ୱର, ୦୩/୧୧ : ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରୀ ନିବାସରେ ଜଣ୍ଡିସ ଆତଙ୍କ ସୃଷ୍ଟି ହୋଇଛି । ଅନ୍ତେବାସୀ ଜଣ୍ଡିସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି । କ୍ୟାମ୍ପସ୍ ପରିସରରେ ବାହାର ଖାଦ୍ୟ ବିକ୍ରି ଉପରେ କଡ଼ା କଟକଣା ଜାରି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ୭ ନମ୍ବର ଛାତ୍ରୀ ନିବାସରେ ଦୁଇ ଜଣ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୮ଜଣ ଛାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଦିଆଯାଇଛି। ହଷ୍ଟେଲରେ ଏକ ହଜାର ଲିଟର ପିଇବା ପାଣି ଯୋଗାଇ ଦିଆଯାଇଛି । ୱାଟର ଟ୍ୟାଙ୍କ ଓ ଓଭରହେଡ୍ ଟ୍ୟାଙ୍କ ସଫା କରାଯିବା ସହ କ୍ଲୋରିନେସନ୍ ହୋଇଛି । ହଷ୍ଟେଲ୍ ପରିସରରେ ସଫେଇ ସହ ବ୍ଲିଚିଂ ମଧ୍ୟ ପକାଯାଇଛି ବୋଲି କହିଛନ୍ତି ବିଶ୍ଵବିଦ୍ୟାଳୟ କୁଳ ସଚିବ । ପରିସରରେ ବାହାରର ଦହିବରା ଆଳୁଦମ, ଗୁପ୍ ଚୁପ୍, ଚାଟ୍ ଓ ଫାଷ୍ଟଫୁଡ୍ ଭଳି କୌଣସି ଖାଦ୍ୟ ବିକ୍ରି କରାଯାଇ ପାରିବ ନାହିଁ । ସେହିପରି କ୍ୟାମ୍ପସରେ ଥିବା ସମସ୍ତ ବଜାରର କ୍ୟାଣ୍ଟିନ୍ ଗୁଡ଼ିକ ପାଣି ଏବଂ ଖାଦ୍ୟ ଗୁଣବତ୍ତା ଯାଞ୍ଚ କରାଯିବ । ଯଦି କେହି ଦୋକାନୀ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବେ ତେବେ ତୁରନ୍ତ ଦୋକାନ ବନ୍ଦ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ।