ଭୋଟରଙ୍କୁ ଟଙ୍କା ବାଣ୍ଟି ମହିଳା ବିଜେଡି ମୁଖ୍ୟ ହଟହଟା : ପାଟକୁରା

ଭୁବନେଶ୍ୱର,୧୭/୭: ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବାକୁ ଥିବାବେଳେ ଭୋଟରଙ୍କୁ ରାତିଅଧିଆ ଟଙ୍କା ବାଣ୍ଟି ବିଜେଡି ମହିଳା ଶାଖା ସଭାନେତ୍ରୀ ମିନତୀ ବେହେରା ହଟହଟା ହୋଇଛନ୍ତି। ଗାଁ ଲୋକମାନେ ତାଙ୍କୁ ଟଙ୍କା ବାଣ୍ଟିବା ଅବସ୍ଥାରେ ଧରିବା ପରେ ସେ ତରବର ହୋଇ ଘଟଣାସ୍ଥଳ ଛାଡ଼ି ପଳାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଡେରାବିଶ ବ୍ଲକର ଏଣ୍ଡେରା ପଞ୍ଚାୟତ ଅନ୍ତର୍ଗତ ବେଣିପୁରୁ ଗାଁର ଢିଅସାହି (ୱାର୍ଡ଼-୬)ରେ ଗତକାଲି ରାତିରେ ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ବେହେରା ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ପ୍ରବର୍ତ୍ତାଇବା ସହ ଟଙ୍କା ମଧ୍ୟ ବାଣ୍ଟିଥିଲେ। ତେବେ ଏହା ଗାଁର କିଛି ଲୋକଙ୍କ ଦୃଷ୍ଟିକୁ ଆସିବା ପରେ ସେମାନେ ସଂଘବଦ୍ଧ ହୋଇ ଏହାର ତୀବ୍ର ବିରୋଧ କରିଥିଲେ। ଶ୍ରୀମତୀ ବେହେରାଙ୍କ ସହ ସ୍ଥାନୀୟ ଯୁବକମାନଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ବଢ଼ିବା ଦେଖି ଶ୍ରୀମତୀ ବେହେରା ତରବରରେ ଜଣେ ବିଜେଡି କର୍ମୀଙ୍କ ବାଇକ ପଛରେ ବସି ଘଟଣାସ୍ଥଳରୁ ପଳାଇଥିଲେ।

ସ୍ଥାନୀୟ ଯୁବକମାନଙ୍କ କହିବା ଅନୁସାରେ ଶ୍ରୀମତୀ ବେହେରା ରାତି ପ୍ରାୟ ୯ଟା ବେଳେ ଆସି ଗାଁର ଘରକୁ ଘର ବୁଲି ନିର୍ଦ୍ଦିଷ୍ଟ ମହିଳାମାନଙ୍କୁ ମୁଣ୍ଡପିଛା ୧ହଜାରରୁ ୨ହଜାର ଟଙ୍କା ଲେଖାଏ ବାଣ୍ଟୁଥିଲେ। ଯାହାକୁ ନେଇ ଗାଁରେ ମହିଳାମାନଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖିବାକୁ ମିଳିଥିଲା। ତା’ପରେ ସାହିର ଲୋକମାନେ ସଂଘବଦ୍ଧ ହୋଇ ତାଙ୍କୁ ବିରୋଧ କରିଥିଲେ।