କୁହୁଡି ଯୋଗୁଁ ଭାରତ- ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି ଟ୍ୱେଣ୍ଟି ବାତିଲ୍‌

ଲକ୍ଷ୍ମୌ : ଘନ କୁହୁଡି ଯୋଗୁଁ ଭାରତ- ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି ଟ୍ୱେଣ୍ଟି ବାତିଲ୍‌ ହୋଇଛି । ସିରିଜ୍‌ରେ ଟିମ୍‌ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ଲକ୍ଷ୍ନୌର ଇକାନା କ୍ରିକେଟ୍‌ ଷ୍ଟାଡ଼ିୟମ୍‌ରେ ସନ୍ଧ୍ୟା ୭ଟାରେ ଖେଳାଯିବାର ଥିଲା, କିନ୍ତୁ ଘନ କୁହୁଡ଼ି ଯୋଗୁଁ ଟସ୍‌ ପର୍ଯ୍ୟନ୍ତ ହୋଇପାରିନଥିଲା। ଆମ୍ପାୟର୍‌ମାନେ ଆଲୋକ ଏବଂ ପିଚ୍‌ ଅବସ୍ଥାର ମୂଲ୍ୟାୟନ ପାଇଁ ୬ ଥର ନୀରିକ୍ଷଣ କରିଥିଲେ। କିନ୍ତୁ ରାତି ୯ :୩୦ ସୁଦ୍ଧା ପରିସ୍ଥିତିରେ କୌଣସି ଉନ୍ନତି ନହେବାରୁ ମ୍ୟାଚ୍‌କୁ ବାତିଲ୍‌ ଘୋଷଣା କରାଯାଇଛି ।

୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଟିମ୍‌ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଭାରତ ପ୍ରଥମ ମ୍ୟାଚ୍‌ରେ ୧୦୧ ରନ୍‌ରେ ବିଜୟୀ ହୋଇଥିଲା, ଏହାପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍‌ରେ ୫୧ ରନ୍‌ରେ ବିଜୟୀ ହୋଇ ଥିଲା, ତୃତୀୟ ମ୍ୟାଚ୍‌ରେ ଧର୍ମଶାଳାରେ ଭାରତ ୭ ୱିକେଟ୍‌ରେ ବିଜୟୀ ହୋଇ ପୁନର୍ବାର ଶୃଙ୍ଖଳାରେ ଆଗୁଆ ହୋଇଥିଲା ।

ଶେଷ ମ୍ୟାଚ୍‌ ୧୯ ଡିସେମ୍ବରରେ ଅହମ୍ମଦାବାଦ୍‌ରେ ଖେଳାଯିବ। ୨ ବର୍ଷ ପୂର୍ବରୁ ଧର୍ମଶାଳାରେ ଭାରତ-ନ୍ୟୁଜିଲ୍ୟାଣ୍ଡ୍‌ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା । ୨୦୨୩ ବିଶ୍ୱକପ୍‌ରେ କୁହୁଡ଼ି କାରଣରୁ ଭାରତ-ନ୍ୟୁଜିଲ୍ୟାଣ୍ଡ୍‌ ମ୍ୟାଚ୍‌କୁ ବାଧାପ୍ରାପ୍ତ ହୋଇଥିଲା । ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ କିଛି ସମୟ ମ୍ୟାଚ୍‌ ବନ୍ଦ ରହିବା ପରେ ପୁନର୍ବାର ଆରମ୍ଭ ହୋଇଥିଲା। ସେହି ମ୍ୟାଚରେ ଭାରତ ୪ ୱିକେଟ୍‌ରେ ବିଜୟୀ ହୋଇଥିଲା।