ରାୟପୁର,୨୩/୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଆଜି ରାୟପୁରସ୍ଥିତ ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଛି। ଏହି ମୁକାବିଲାରେ ଭାରତ ୭ୱିକେଟ୍ରେ ବିଜୟୀ ହୋଇଛି। ୨୦୯ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଭାରତ ୧୫.୨ ଓଭରରେ ୩ଟି ୱିକେଟ୍ ହରାଇ ଏହା ପୂରା କରିଛି। ଭାରତର ବିଜୟର ନାୟକ ସାଜିଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଈଷନ କିଶନ ଓ ଶିବମ ଦୁବେ। ଏଥି ସହିତ ଭାରତ ଚଳିତ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି।
ଯେତେବେଳେ ଭାରତୀୟ କ୍ରିକେଟ୍ ଦଳ ୨୦୦ରୁ ଅଧିକ ଲକ୍ଷ୍ୟର ସମ୍ମୁଖୀନ ହୋଇଥିଲା, ସେତେବେଳେ ମନେ ହେଉଥିଲା ଯେ ସେମାନେ ମ୍ୟାଚ୍ ଜିତିବା ପାଇଁ ଲଢ଼େଇ କରିବାକୁ ପଡ଼ିବ। କିନ୍ତୁ ଟିମ୍ ଇଣ୍ଡିଆ ଏହାକୁ ସଫଳ ରଣନୀତି ପ୍ରସ୍ତୁତ କରି ମ୍ୟାଚ୍ ଜିତିଛି। ସୂର୍ଯ୍ୟକୁମାର ଯାଦବ (୮୨ ଅପରାଜିତ, ୩୭ ବଲ୍, ୯ ଚୌକା, ୪ ଛକା) ଏବଂ ଶିବମ୍ ଦୁବେ (୩୬ ଅପରାଜିତ, ୧୮ ବଲ୍, ୧ ଚୌକା, ୩ ଛକା) ମାତ୍ର ୧୫.୨ ଓଭରରେ ଭାରତକୁ ବିଜୟୀ କରାଇଥିଲେ।