ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ନୂଆଦିଲ୍ଲୀ, ୧୧/୦୨ : ରାଜସ୍ଥାନ ଦୌସାରେ ହୃଦୟ ବିଦାରକ ଘଟଣା ଘଟିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ କୈଲାଇ ବସଷ୍ଟାଣ୍ଡ ନିକଟରେ ସଡକ ଦୁର୍ଘଟଣାରେ ୬ ଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ସମସ୍ତ ଯୁବକ ସିକନ୍ଦରା ଥାନା ଅଞ୍ଚଳର କାଲାଖୋରର ବାସିନ୍ଦା ବୋଲି ଜଣାପଡ଼ିଛି। ସମସ୍ତେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ଦୁର୍ଘଟଣାରେ ଯୁବକମାନେ ବସିଥିବା କାରଟି ସମ୍ପୂର୍ଣ୍ଣ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ବହୁ ଚେଷ୍ଟା ପରେ କାରରୁ ଯୁବକମାନଙ୍କ ମୃତଦେହକୁ ବାହାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ରାଜପଥରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ପରେ ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ମୃତକମାନେ ହେଲେ ଅଙ୍କିତ, ସମୟ ସିଂହ, ଲୋକେଶ, ନବୀନ, ଦିଲଖୁଶ ଏବଂ ମନୀଷ । ଖବର ପାଇବା ମାତ୍ରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।