ସ୍ୱାସ୍ଥ୍ୟ ବିଭାଗର ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ୩ ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୭/୯: ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ଯୋଗାଇବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଥମ ୪୮ ଘଣ୍ଟାରେ ମାଗଣା ଚିକିତ୍ସା ପ୍ରଦାନ କରାଯିବ, ପରେ ରୋଗୀଙ୍କୁ ଚାହିଁଲେ ସ୍ଥାନାନ୍ତର କରିପାରିବେ । ଏହି ଖର୍ଚ୍ଚ ସରକାର ‘ରାସ୍ତା ସୁରକ୍ଷା ପାଣ୍ଠି’ରୁ ଭରଣା କରିବେ । ପ୍ରଥମେ କଟକ ଓ ଭୁବନେଶ୍ବରରେ ଏହି ସୁବିଧା ଉପଲବ୍ଧ ହେବ । ଏହାପରେ ଏହା ରାଜ୍ୟର ତିନୋଟି ପ୍ରମୁଖ ସହର ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି । ମାଗଣା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଏହି ରାଶି ଦେଇଛି ପରିବହନ ବିଭାଗ । ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଏନେଇ ସୂଚନା ଦେଇଛନ୍ତି ।

କଟକ ଓ ଭୁବନେଶ୍ୱରର ତିନିଟୋ ଘରୋଇ ହସ୍ପିଟାଲ ଆପୋଲ, ଆମ୍ରି ଏବଂ ଅଶ୍ୱିନୀ ହସ୍ପିଟାଲରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସୁବିଧା ଉପଲବ୍ଧ ହେବ । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିବା ପରେ ଶୀଘ୍ର ଚିକିତ୍ସା କରାଯିବ । ଚିକିତ୍ସା କରାଯିବା ପରେ DMETଙ୍କୁ ଏନେଇ ଜଣାଇବ । ଚିକିତ୍ସା ଚାଲୁ ରଖିବା ପାଇଁ DMET ହସ୍ପିଟାଲକୁ ଆଦେଶ ଦେବେ । ୪୮ ଘଣ୍ଟା ପରେ DMETଙ୍କୁ ଚିକିତ୍ସା ଖର୍ଚ୍ଚ ଜଣାଇବେ ହସ୍ପିଟାଲ କର୍ତ୍ତୃପକ୍ଷ । ଏହାପରେ ସପ୍ତାହ ମଧ୍ୟରେ DMET ଦେୟ ପ୍ରଦାନ କରିବେ ।