କମିନି ଗ୍ୟାସ୍ ସଙ୍କଟ, ଟେନସନ୍ ଦେଲାଣି ଔଷଧ

ନୂଆଦିଲ୍ଲୀ, ୨୩/୦୩ : ପଶ୍ଚିମ ଏସିଆରେ ଲାଗିରହିଥିବା ଯୁଦ୍ଧ କେବଳ ତେଲ ଏବଂ ଗ୍ୟାସ୍ ସଙ୍କଟ ସୃଷ୍ଟି କରିନାହିଁ ବରଂ ଏହାର ପ୍ରଭାବ ଏବେ ଔଷଧ ଭଳି ଅତି ଜରୁରୀ ସାମଗ୍ରୀ ଉପରେ ମଧ୍ୟ ପଡ଼ିବାକୁ ଲାଗିଛି । ଗ୍ୟାସ୍ ସଙ୍କଟ ଯୋଗୁଁ ସେମିତିରେ ଭାରତର ଅସୁବିଧା ବଢ଼ିଛି। ଆଉ ଏବେ ଔଷଧ ଉପରେ ଏହାର ପ୍ରଭାବ ବୋଝ ଉପରେ ନଳିତା ବିଡ଼ା ପରି ପରିସ୍ଥିତି ସୃଷ୍ଟି କରିବାକୁ ନେଇ ଚିନ୍ତା ବଢ଼ିଛି । ଭାରତରେ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ପାରାସିଟାମୋଲ୍, ଭିଟାମିନ୍ ଏବଂ ହରମୋନ୍ସ ଭଳି ଅତ୍ୟାବଶ୍ୟକ ଔଷଧର ଉତ୍ପାଦନରେ ସମସ୍ୟା ଦେଖାଦେଇଛି । ଯଦି ଏହି ସମସ୍ୟା ଶୀଘ୍ର ସମାଧାନ ନହୁଏ ତେବେ ଅନେକ ଫାର୍ମା କମ୍ପାନିକୁ ଆସନ୍ତା ୧୦ ଦିନ ମଧ୍ୟରେ ନିଜର ଉତ୍ପାଦନ ବନ୍ଦ କରିବାକୁ ପଡ଼ିପାରେ । ଡ୍ରଗ୍ ଟ୍ରେଡର୍ସ ଆସୋସିଏସନ୍‌ର କହିବା ଅନୁଯାୟୀ, କଞ୍ଚାମାଲ୍ ଯୋଗାଣରେ ବାଧା, ସିପିଂ ଖର୍ଚ୍ଚ ବୃଦ୍ଧି ଏବଂ ପ୍ୟାକେଜିଂ ସମସ୍ୟା ଯୋଗୁଁ ଆଗାମୀ ଦିନରେ ଔଷଧ ଦର ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । ଏହି ଯୁଦ୍ଧ ଯୋଗୁଁ ଜ୍ୱର, ମଧୁମେହ, ସଂକ୍ରମଣ ଏବଂ ଶ୍ୱାସକ୍ରିୟା ଜନିତ ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧର ଅଭାବ ଦେଖାଦେଇପାରେ । ଏହି କାରଣରୁ ଭାରତରେ LPG ସଙ୍କଟ ଦେଖାଦେଇଛି ଯାହା ପରୋକ୍ଷରେ ଔଷଧ ଉତ୍ପାଦନକୁ ପ୍ରଭାବିତ କରୁଛି । ବାସ୍ତବରେ ଔଷଧ ତିଆରି ସମୟରେ ‘ପ୍ରୋପେନ୍ ଗ୍ୟାସ୍’କୁ ଇନ୍ଧନ ଭାବରେ ବ୍ୟବହାର କରାଯାଏ । ତେଲ ଏବଂ ଗ୍ୟାସ୍ ଅଭାବ ଯୋଗୁଁ ପାରାସିଟାମଲ୍, ମେଟଫର୍ମିନ୍, ମେଟ୍ରୋନିଡାଜୋଲ୍, ଡାଇକ୍ଲୋଫେନାକ୍, ଫୋଲିକ୍ ଏସିଡ୍ ଏବଂ ଭିଟାମିନ୍ ସି ଭଳି ଔଷଧର ଉତ୍ପାଦନ ବାଧାପ୍ରାପ୍ତ ହେଉଛି । ଫାର୍ମାଏକ୍ସିଲ୍‌ର ପୂର୍ବତନ ଅଧ୍ୟକ୍ଷ ଦିନେଶ ଦୁଆଙ୍କ ଅନୁଯାୟୀ, ପ୍ରାୟ ୨୦୦ ଔଷଧ ଏବେ ଷ୍ଟକ୍‌ରେ ନାହିଁ ଏବଂ ଆଗାମୀ ସାତରୁ ଦଶ ଦିନ ମଧ୍ୟରେ ଉତ୍ପାଦନ ବନ୍ଦ ହୋଇପାରେ । ଭାରତ ବିଶ୍ୱର ଜେନେରିକ୍ ଔଷଧ ବଜାରର ଏକ ବଡ଼ କେନ୍ଦ୍ର ଏବଂ ଏହାର ଅଂଶଧନ ପ୍ରାୟ ୨୦ ପ୍ରତିଶତ । ଆମେରିକା ମଧ୍ୟ ଭାରତରୁ ସବୁଠାରୁ ଅଧିକ ଔଷଧ ଆମଦାନୀ କରିଥାଏ । କିନ୍ତୁ ଭାରତର ଏହି ସେକ୍ଟର କଞ୍ଚାମାଲ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ । ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ଏବେ ଏହି ସେକ୍ଟର ବିପଦରେ ପଡ଼ିଛି । ଔଷଧ ପରି ଡେୟାରୀ ବା ଦୁଗ୍ଧ ଶିଳ୍ପରେ ମଧ୍ୟ ସମସ୍ୟା ବଢ଼ିବାରେ ଲାଗିଛି । ଗ୍ୟାସ୍ ସଙ୍କଟ ଯୋଗୁଁ ଦୁଗ୍ଧ ପ୍ୟାକେଜିଂ ପାଇଁ ଆବଶ୍ୟକ ସାମଗ୍ରୀ ମିଳୁନାହିଁ । ମହାରାଷ୍ଟ୍ରର ଡେୟାରୀ ମାଲିକମାନଙ୍କ କହିବା ଅନୁସାରେ, ଯଦି ସ୍ଥିତିରେ ସୁଧାର ନଆସେ, ତେବେ ସେମାନଙ୍କୁ ମଧ୍ୟ ଉତ୍ପାଦନ ବନ୍ଦ କରିବାକୁ ପଡ଼ିପାରେ ।