ନୂଆଦିଲ୍ଲୀ, ୩୦/୦୩ : ଆଇପିଏଲର ୧୯ତମ ସଂସ୍କରଣର ଆଜି ତୃତୀୟ ମ୍ୟାଚ ଗୁଆହାଟୀର ଆସାମ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଦୁଇ ପୂର୍ବତନ ଚମ୍ପିଆନ ରାଜସ୍ଥାନ ରୟାଲ୍ସ ଓ ଚେନ୍ନଇ ସୁପରକିଙ୍ଗ୍ସ ମୁହାଁମୁହିଁ ହେବେ। ୧୧ ବର୍ଷ ଧରି ରାଜସ୍ଥାନ ରୟାଲ୍ସରୁ ଖେଳି ଆସୁଥିବା ସଞ୍ଜୁ ସାମସନଙ୍କୁ ଚଳିତ ସଂସ୍କରଣରେ ଚେନ୍ନଇ ସୁପରକିଙ୍ଗ୍ସରୁ ଦେଖିବାକୁ ମିିଳିବ। ସେହିପରି ଚେନ୍ନଇ ସୁପରକିଙ୍ଗ୍ସର ପୂର୍ବତନ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏଥର ରାଜସ୍ଥାନ ଦଳରୁ ଖେଳିବେ। ମ୍ୟାଚରେ ମୁଖ୍ୟତଃ ଦୁଇ ଭାରତୀୟ ଖେଳାଳି ନିଜନିଜ ପୂର୍ବ ଆଇପିଏଲ ଦଳ ବିପକ୍ଷରେ ଲଢିବାକୁ ଯାଉଛନ୍ତି। ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ମୁଖ୍ୟ ଆକର୍ଷଣ ରହିଛନ୍ତି। ବୈଭବଙ୍କ ସମେତ ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ରିୟାନ ପରାଗ, ସିମ୍ରନ ହେତମେୟରଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରେ। ଅଲରାଉଣ୍ଡର ଭାବେ ଚେନ୍ନଇ ସୁପରକିଙ୍ଗ୍ସରୁ ଆସିଥିବା ରବୀନ୍ଦ୍ର ଜାଡେଜାଙ୍କ ସମେତ ଦାସୁନ ସନକ ରହିଛନ୍ତି। ଜେଫ୍ରା ଆର୍ଚରଙ୍କ ସମେତ ତୁଷାର ଦେଶପାଣ୍ଡେ ,କୁଳଦୀପ ସେନ ଓ ସନ୍ଦୀପ ଶର୍ମା ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ବିଘ୍ନେଶ ପୁଥୁର, ରବି ବିଷ୍ଣୋୟୀ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନର ରହିଛନ୍ତି। ଜାଡେଜା ସାମିଲ ପରେ ଦଳ ସନ୍ତୁଳିତ ହୋଇଛି। ଜାଡେଜା ବୋଲିଂ ସହ ମ୍ୟାଚ ଫିନିସର ଦାୟିତ୍ବ ତୁଲାଇବେ। ଉଭୟ କ୍ଷେତ୍ରରେ ଦଳ ସନ୍ତୁଳିତ ରହିଛି। ବିଜୟ ସହ ଅଭିଯାନ ଆରମ୍ଭ ନେଇ ଦଳ ଦୃଢ ଆଶାବାଦୀ ରହିଛି।