ଡ. ଅଚ୍ୟୁତ ସାମନ୍ତଙ୍କୁ ୭୨ତମ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର, ୩୦/୦୪ : ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟପ୍ରଦେଶ ଛତରପୁରସ୍ଥିତ ଶ୍ରୀକ୍ରିଷ୍ଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ଶ୍ରୀକ୍ରିଷ୍ଣା ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଶ୍ରୀ ସାମନ୍ତଙ୍କ ୭୨ ତମ ସମ୍ମାନସୂଚକ ଡକ୍ଟରେଟ୍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର, ମଧ୍ୟପ୍ରଦେଶ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାର, ମଧ୍ୟପ୍ରଦେଶ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ପୂର୍ବତନ ଅଧ୍ୟକ୍ଷ ତପନ ଭୌମିକ, ବିଶ୍ୱବିଦ୍ୟାଳୟର କୁଳାଧିପତି ଡ ବ୍ରିଜେନ୍ଦ୍ର ସିଂହ ଗୌତମ, ଚେୟାରମ୍ୟାନ ଡ ପୁଷ୍ପେନ୍ଦ୍ର ସିଂହ ଗୌତମ, କୁଳପତି ପ୍ରଫେସର ଅମିତ କୁମାର ଜୈନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କର୍ଣ୍ଣାଟକ ରାଜ୍ୟପାଳ ଥାୱାର ଚାନ୍ଦ ଗେହଲୋଟ୍ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ ମଧ୍ୟ ଅସୁସ୍ଥତା ହେତୁ ଆସି ନ ପାରି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ସମ୍ମାନ ପାଇଁ ଶ୍ରୀ ସାମନ୍ତ ଶ୍ରୀକ୍ରିଷ୍ଣା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ କହିଲେ, ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ନିରନ୍ତର କାମ କରିଆସୁଛନ୍ତି । ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ । ଏହି ସମ୍ମାନ କିଟ୍‍ ଓ କିସ୍‍ କର୍ମଚାରୀଙ୍କ ପରିଶ୍ରମର ଫଳ ହୋଇଥିବାରୁ ଶ୍ରୀ ସାମନ୍ତ କିଟ୍‍ ଓ କିସ୍‍ର ସମସ୍ତ କର୍ମଚାରୀଙ୍କୁ ଏହି ସମ୍ମାନ ଉତ୍ସର୍ଗ କରିଛନ୍ତି ।