ନୂଆଦିଲ୍ଲୀ, ୦୪/୦୪ : ପାକିସ୍ତାନରେ ଗୁରୁବାର ବିଳମ୍ବିତ ରାତିରେ ଏକ ପୋଲିସ ଷ୍ଟେସନକୁ ଟାର୍ଗେଟ୍ କରି କରାଯାଇଥିବା ଭୟଙ୍କର ଆତ୍ମଘାତୀ କାର୍ ବୋମା ବିସ୍ଫୋରଣରେ ତିନିଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ବାନୁ ଜିଲ୍ଲାର ଡୋମେଲ ତହସିଲରେ ଥିବା ପୋଲିସ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଏଥିରେ ୪ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯିବା ସହ ଆଖପାଖର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି । ଜଣେ ଆତ୍ମଘାତୀ ବିସ୍ଫୋରକ କାର୍ ସାହାଯ୍ୟରେ ପୋଲିସ ଷ୍ଟେସନକୁ ଧକ୍କା ଦେଇଥିଲା, ଯାହାଫଳରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ତୁରନ୍ତ ସେହି ଅଞ୍ଚଳରେ ଗୁଳି ବିନିମୟ ମଧ୍ୟ ହୋଇଥିଲା, ଯାହା ଉତ୍ତେଜନାକୁ ଦ୍ୱିଗୁଣିତ କରିଦେଇଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ୫ଟି ଶବ ଉଦ୍ଧାର କରିଛନ୍ତି ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ରଖି ତଦନ୍ତ ଚଳାଇଛନ୍ତି ।