ଭୁବନେଶ୍ୱର, ୨୦/୦୪ : ରାଜ୍ୟରେ ଦିନକୁ ଦିନ ଅଣାୟତ ହେଲାଣି ତାତି। ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜନ ଜୀବନ। ସେହିପରି ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଗାମୀ ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଏପରିକି ଟ୍ୱିନ ସିଟିରେ ମଧ୍ୟ ୪୫ ଡିଗ୍ରୀ ତାପମାତ୍ରା ପାର ହେବା ନେଇ ସତର୍କତା ଜାରି ହୋଇଛି। ପ୍ରଚଳିତ ପାଗ ଢାଞ୍ଚା ଯୋଗୁଁ ଦିନର ତାପମାତ୍ରା ଅନବରତ ବୃଦ୍ଧି ପାଇଛି। ଏହାସହିତ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗ୍ରୀଷ୍ମ ଋତୁର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ପୂର୍ବାନୁମାନ କରାଯାଉଛି। ତେବେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଦିନର ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଲୋକମାନଙ୍କୁ ପ୍ରଚୁର ପାଣି ପେଇବା ସହ ହାଲୁକା ପୋଶାକ ପିନ୍ଧିବା ଓ ହିଟ୍ଷ୍ଟ୍ରୋକ୍ରୁ ରକ୍ଷା ପାଇଁ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ବାହାରେ କାମ କରୁଥିବା ଶ୍ରମିକ ଓ ଯାତ୍ରୀମାନେ ଅଧିକ କଷ୍ଟର ସମ୍ମୁଖୀନ ହେଉଛନ୍ତି।