ଆଜି ପବିତ୍ର ଅକ୍ଷୟ ତୃତୀୟା ; ଚାଷୀ କରିବେ ଅଖିମୁଠି ଅନୁକୂଳ

ଭୁବନେଶ୍ୱର, ୨୦/୦୪ : ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଆମେ ପବିତ୍ର ଅକ୍ଷୟ ତୃତୀୟା ରୂପେ ପାଳନ କରିଥାଉ। ଚାଷୀ ଆଜି ନିଜ ବିଲରେ ଅଖିମୁଠି ବିହନ ବୁଣି ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା କରିଥା’ନ୍ତି। ଏହାବ୍ୟତୀତ ମହାପ୍ରଭୁଙ୍କ ଚନ୍ଦନ ଓ ଚାପ ଯାତ୍ରା ଏହି ଦିନରୁ ହିଁ ଆରମ୍ଭ ହୁଏ। ଏହାସହିତ ଆଜି ମହାପ୍ରଭୁଙ୍କ ରଥ କାଠ ମଧ୍ୟ ଅନୁକୂଳ ହୁଏ। ଏଥିପାଇଁ ଏହି ପର୍ବ ଆମ ଓଡ଼ିଆ ଚାଷୀ ଭାଇଙ୍କ ପାଇଁ ଏକ ବିଶେଷ ପର୍ବ ଅଟେ।

ପୃଥିବୀରେ ଦେବତାମାନେ ଅବତାର ନେଇଥିଲେ। ସେଥି ମଧ୍ୟରୁ ବିଷ୍ଣୁଙ୍କୁ ଷଷ୍ଠ ଅବତାର ଥିଲେ ଭଗବାନ ପର୍ଶୁରାମ। ପୁରାଣରେ ବର୍ଣ୍ଣିତ ହୋଇଛି ଯେ ତାଙ୍କ ଜନ୍ମ ଅକ୍ଷୟ ତୃତୀୟାରେ ହୋଇଥିଲା। ଏପରିକି ଆଜି ମହାପ୍ରଭୁ ଜଗନ୍ନାଥ ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଚନ୍ଦନଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବେ। ଚନ୍ଦନ ଚକଡ଼ାରେ ଚନ୍ଦନ ନୀତିକାନ୍ତି ପରେ ନନ୍ଦା-ଭଦ୍ରାରେ ବସି ଚାପ ଖେଳିବେ ମହାବାହୁ।

ଅକ୍ଷୟ ତୃତୀୟାର ୫ଟି ମହତ୍ତ୍ଵ…

ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁଙ୍କର ଚରଣରୁ ଧରିତ୍ରୀରେ ଗଙ୍ଗା ଅବତରିତ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ସତ୍ୟ ଯୁଗ, ଦ୍ୱାପର ଏବଂ ତ୍ରେତୟା ଯୁଗ।

ଲୋକେ ଅକ୍ଷୟ ତୃତୀୟା ତିଥିରେ ନୂତନ ବାହାନ କିଣିବା ଅଥବା ଗୃହ ପ୍ରବେଶ କରିବା, ଆଭୂଷଣ କ୍ରୟ ଇତ୍ୟାଦି କାର୍ଯ୍ୟ ପାଇଁ କରିଥାନ୍ତି। ମାନ୍ୟତା ଅଛି କି ଏହି ଦିନ ସମସ୍ତଙ୍କ ଜୀବନରେ ଉତ୍ତମ ଭାଗ୍ୟ ଏବଂ ସଫଳତା ଆଣିଥାଏ। ଏଥିପାଇଁ ଲୋକମାନେ ଏହି ଦିନ ଜମି ସମ୍ବନ୍ଧୀୟ କାର୍ଯ୍ୟ, ସେୟାର ମାର୍କେଟରେ ନିବେଶ, ଏବଂ ନୂତନ ବ୍ୟବସାୟ ଆଦି ଆରମ୍ଭ କରିବା ପାଇଁ ଇଚ୍ଛା କରିଥାନ୍ତି।

ଏହି ଦିନ ସୂର୍ଯୋଦୟ ପୂର୍ବରୁ ଉଠି ସ୍ନାନ, ଦାନ, ଜପ, ସ୍ୱାଧାୟ ଆଦି କରିବା ଶୁଭ ଫଳଦାୟୀ ଭାବେ ଜଣାଯାଇଥାଏ। ଏହି ତିଥିରେ କରାଯାଇଥିବା ଶୁଭକର୍ମର ଫଳ କ୍ଷୟ ହୋଇନଥାଏ।

ଧନ ଏବଂ ଭୌତିକ ବସ୍ତୁର ପ୍ରାପ୍ତି ତଥା ଭୌତିକ ଉନ୍ନତି ପାଇଁ ଏହି ଦିନର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଧନ ପ୍ରାପ୍ତିର ମନ୍ତ୍ର, ଅନୁଷ୍ଠାନ ଏବଂ ଉପାସନା ଅଧିକ ପ୍ରଭାବୀ ହୋଇଥାଏ।

ଏହି ଦିନ ପବିତ୍ର ନଦୀମାନଙ୍କରେ ସ୍ନାନ କରି ସାମର୍ଥ୍ୟ ଅନୁସାରେ ଜଳ, ଶସ୍ୟ, ଦହି, ଫଳ, ସୁରେଇ, ହାତ ତିଆରି ପଂଙ୍ଖା, ବସ୍ତ୍ର ଆଦି ଦାନ କରିବା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଇଛି।